ପାର୍ବଣରେ ମହଙ୍ଗା ମାଡ଼, ୪.୮୨% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି

କଲବଲ କଲାଣି ମହଙ୍ଗା ମାଡ଼ । ପାର୍ବଣ ସମୟରେ ଦର ବୃଦ୍ଧି । ଦେଶରେ ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି ।ଦରଦାମ୍‌ରେ ଲଗାତାର ବୃଦ୍ଧି ପରିପ୍ରେକ୍ଷୀରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ ରହି ଅଗଷ୍ଟ ମାସରେ ୫.୫ ପ୍ରତିଶତ ଛୁଇଁଛି । ଏହା ଦେଶର ୪.୮୨% ମୁଦ୍ରାସ୍ଫୀତି ତୁଳନାରେ ୦.୭୦% ଅଧିକ। ତେଲେଙ୍ଗାନା, ତାମିଲନାଡୁ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ପଛକୁ ଓଡ଼ିଶା ଦେଶର ପଞ୍ଚମ ମହଙ୍ଗା ବଜାର ହେବାର ଅଲୋଡ଼ା ରେକର୍ଡ କରିଛି । ହାରାହାରି ଭାବେ ଦେଶର ଗ୍ରାହକମାନଙ୍କ ତୁଳନାରେ ଓଡ଼ିଶାର ଗ୍ରାହକମାନେ ବିଭିନ୍ନ ଜିନିଷକୁ ଅଧିକ ଦାମ୍‌ ଦେଇ କିଣୁଛନ୍ତି ।ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ର ସରକାର କହିଛନ୍ତି । କିନ୍ତୁ ଚିନି, ପନିପରିବା, ପିଆଜ ଆଦିର ଦରବୃଦ୍ଧି ପରେ ଖୁଚୁରା ମୁଦ୍ରାସ୍ଫୀତି ହାର ସେହି ଧାର୍ଯ୍ୟ ସୀମା ଡେଇଁଯାଇଛି । ଗତ ମାସରେ ରାଜ୍ୟରେ ଚିନି ଦର ଅଳ୍ପ ଦିନ ଭିତରେ କେଜି ପିଛା ୪୨ ଟଙ୍କାରୁ ବଢ଼ି ୭୫ ଟଙ୍କା ହୋଇଯାଇଥିଲା । କେନ୍ଦ୍ର ସରକାର ଷ୍ଟକ୍ ସୀମା ଧାଯ୍ୟ କରିବା ଏବଂ ୧ ନିୟୁତ ଟନ୍ ଚିନି ଶୁଳ୍କମୁକ୍ତ ଆମଦାନି ପାଇଁ ପଦକ୍ଷେପ ନେବାରୁ ଚିନି ଦରରେ ସାମାନ୍ୟ ହ୍ରାସ ଘଟିଥିଲା।ବିଶେଷ କରି ତେଲ ଓ ଇନ୍ଧନ ଦରକୁ ନେଇ ଚିନ୍ତା ବଢ଼ିଛି ।ତେଲ ଦର ବଢ଼ିଲେ କେବଳ ପେଟ୍ରୋଲ୍ କିମ୍ବା ଡିଜେଲ୍ ମହଙ୍ଗା ହୁଏ ନାହିଁ । ପରିବହନ ଖର୍ଚ୍ଚ ବଢ଼ିବା ଯୋଗୁଁ ବଜାରକୁ ପନିପରିବା, ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ପହଞ୍ଚାଇବା ମଧ୍ୟ ମହଙ୍ଗା ହୋଇଥାଏ । ଶେଷରେ ଏହାର ବୋଝ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିଥାଏ । ମହଙ୍ଗା ଦର ବଢ଼ିବା ପରେ ଏବେ ସମସ୍ତଙ୍କ ନଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଉପରେ ।

ଅଧିକ ପଢନ୍ତୁ