ବିଦେଶ ମନ୍ତ୍ରଣାଳୟ ବା MEA ପକ୍ଷରୁ ଏକ ସୂଚନା ଜାରି କରାଯାଇଛି। ନୂଆ ବ୍ୟବସ୍ଥାରେ ଶିଶୁଙ୍କ ପାସପୋର୍ଟର ବୈଧତା ସହ ବିଭିନ୍ନ ପାସପୋର୍ଟ ସେବା ବାବଦରେ ଥିବା ଶୁଳ୍କରେ ମଧ୍ୟ ପରିବର୍ତ୍ତନ ହୋଇଛି। ନୂଆ ନିୟମ ଅନୁଯାୟୀ, ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ୩୬ ପୃଷ୍ଠାର ସାଧାରଣ ପାସପୋର୍ଟ ଦିଆଯିବ। ଏହି ପାସପୋର୍ଟର ବୈଧତା, ପାସପୋର୍ଟ ଜାରି ହେବା ଦିନଠାରୁ ୫ ବର୍ଷ କିମ୍ବା ପିଲା ୧୮ ବର୍ଷ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ରହିବ। ଏହି ଦୁଇଟି ବ୍ୟବସ୍ଥା ମଧ୍ୟରୁ ଯେଉଁଟି ପ୍ରଥମେ ଆସିବ, ସେହି ତାରିଖକୁ ପାସପୋର୍ଟର ବୈଧତାର ଶେଷ ତାରିଖ ଭାବେ ଧରାଯିବ। ଅର୍ଥାତ୍, ପିଲାଙ୍କ ବୟସ ଅନୁଯାୟୀ ପାସପୋର୍ଟର ବୈଧତା ୫ ବର୍ଷରୁ କମ୍ ମଧ୍ୟ ହୋଇପାରେ।ନୂଆ ନିୟମରେ ବୟସ୍କଙ୍କ ସାଧାରଣ ୩୬ ପୃଷ୍ଠାର ପାସପୋର୍ଟ ପାଇଁ ପୂର୍ବରୁ ୧,୫୦୦ ଟଙ୍କା ଫି’ ଦେବାକୁ ପଡ଼ୁଥିବା ବେଳେ ଏବେ ୨,୫୦୦ ଟଙ୍କା ଦେବାକୁ ପଡ଼ିବ। ୬୦ ପୃଷ୍ଠାର ସାଧାରଣ ପାସପୋର୍ଟର ଫି’ ୨,୦୦୦ରୁ ବଢ଼ି ୩,୫୦୦ ଟଙ୍କା ହୋଇଛି। ସେହିପରି ୩୬ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ଫି’ ୩,୫୦୦ରୁ ବଢ଼ି ୫,୦୦୦ ଟଙ୍କା ହୋଇଛି । ୬୦ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ଏବେ ୬,୦୦୦ ଟଙ୍କା ଦେବାକୁ ପଡ଼ିବ, ଯାହା ପୂର୍ବରୁ ୪,୦୦୦ ଟଙ୍କା ଥିଲା। ୬୦ ପୃଷ୍ଠାର ପାସପୋର୍ଟ ହଜିଯିବା କିମ୍ବା ନଷ୍ଟ ହୋଇଯିବା ପରେ ତତ୍କାଳ ପରିବର୍ତ୍ତୀ ପାସପୋର୍ଟ ପାଇଁ ମଧ୍ୟ ଫି’ ବଢ଼ିଛି । ପୂର୍ବରୁ ଏଥିପାଇଁ ୫,୫୦୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ୮,୫୦୦ ଟଙ୍କା ଦେବାକୁ ପଡ଼ିବ ।
ନାବାଳକଙ୍କ ୩୬ ପୃଷ୍ଠାର ନର୍ମାଲ୍ ଫ୍ରେଶ୍ କିମ୍ବା ରି-ଇସ୍ୟୁ ପାସପୋର୍ଟର ଫି’ ୧,୦୦୦ ଟଙ୍କାରୁ ବଢ଼ି ୧,୭୫୦ ଟଙ୍କା ହୋଇଛି । ୩୬ ପୃଷ୍ଠାର ତତ୍କାଳ ପାସପୋର୍ଟ ପାଇଁ ଏବେ ୩,୦୦୦ ଟଙ୍କା ଦେବାକୁ ପଡ଼ିବ । ତେବେ ୮ ବର୍ଷରୁ କମ୍ ବୟସର ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ନୂଆ (Fresh) ପାସପୋର୍ଟ କରାଇବା ସମୟରେ ୧୦ ପ୍ରତିଶତ ରିହାତି ମିଳିବ। ଏହି ରିହାତି କେବଳ ଫ୍ରେଶ୍ ପାସପୋର୍ଟ ପାଇଁ ଲାଗୁ ହେବ ।ପାସପୋର୍ଟ ପାଇଁ ନୂଆ କରି ଆବେଦନ କରୁଥିବା ୮ ବର୍ଷରୁ କମ୍ ବୟସର ପିଲା ଏବଂ ୬୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କୁ ୧୦% ଫି’ ରିହାତି ମିଳିବ। ତେବେ ଏହି ରିହାତି ପାସପୋର୍ଟ ରି-ଇସ୍ୟୁ କରାଇବା ସମୟରେ ଲାଗୁହେବ ନାହିଁ। ତେଣୁ ଆବେଦନକାରୀ ଫ୍ରେଶ୍ ପାସପୋର୍ଟ କରୁଛନ୍ତି ନା ପୁରୁଣା ପାସପୋର୍ଟ ରି-ଇସ୍ୟୁ କରୁଛନ୍ତି, ତାହା ଅନୁଯାୟୀ ଫି’ ଲାଗୁ ହେବ।
