ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ପଢ଼ୁଥିବା ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀମାନେ ୨୦୨୭ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ। ଆସନ୍ତା ଅକ୍ଟୋବର ୨୬ ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ରେଗୁଲାର ଶିକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ । ସେହିପରି ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଅକ୍ଟୋବର ୧ରୁ ୯ ତାରିଖ ମଧ୍ୟରେ ଫର୍ମ ପୂରଣ କରିବେ ।ଫର୍ମ ପୂରଣ ପାଇଁ ୬୦୦ ଟଙ୍କା ସହ ମାଇଗ୍ରେସନ୍ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କା ଓ ପାସ୍ ସାର୍ଟିଫିକେଟ୍ ପାଇଁ ୧୦୦ ଟଙ୍କାକୁ ମିଶାଇ ମୋଟ ୮୦୦ ଟଙ୍କା ଅନ୍ଲାଇନ୍ ମାଧ୍ୟମରେ ପୈଠ କରିବେ । ପ୍ରୋଜେକ୍ଟ ୱାର୍କ ଫି ପାଇଁ ବାଣିଜ୍ୟ ବିଭାଗରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ୪୦ ଟଙ୍କା ଅତିରିକ୍ତ ପ୍ରଦାନ କରିବେ । ଯଦି କୌଣସି ଛାତ୍ରଛାତ୍ରୀଙ୍କର ପ୍ରାକ୍ଟିକାଲ ବିଷୟ ରହିଥାଏ ତେବେ ପ୍ରତି ପ୍ରାକ୍ଟିକାଲ ବିଷୟ ପିଛା ୪୦ ଟଙ୍କା ଲେଖାଏଁ ପ୍ରଦାନ କରିବେ । ଏନେଇ ଆଜି ସିଏଚ୍ଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ରେଗୁଲାର ଛାତ୍ରଛାତ୍ରୀମାନେ ଯଦି ନକରନ୍ତି ତେବେ ୨୦୦ ଟଙ୍କାର ଫାଇନ୍ ସହ ନଭେମ୍ବର ୧୭ରୁ ୧୯ ତାରିଖ ମଧ୍ୟରେ କରିପାରିବେ । ଯଦି ଏହି ସମୟ ମଧ୍ୟ ନକରନ୍ତି ତେବେ ୬୦୦ ଟଙ୍କାର ଅତିରିକ୍ତ ଫାଇନ ଦେଇ ନଭେମ୍ବର ୨୩ରୁ ୨୬ ତାରିଖ ମଧ୍ୟରେ ଫର୍ମ ପୂରଣ କରିବେ । ଫର୍ମ ପୂରଣ କରିସାରିବା ପରେ ନଭେମ୍ବର ୩୦ରୁ ଡିସେମ୍ବର ୭ ତାରିଖ ମଧ୍ୟରେ ପଞ୍ଜିକରଣ ତାଲିକା ସହ ଏସ୍ବି କଲେକ୍ଟ ଓ ଇ-ରିସିଫ୍ଟ ପ୍ରଦାନ କରିବେ ଶିକ୍ଷାନୁଷ୍ଠାନ ।
