ଲଗାଣ ବର୍ଷାରେ ଭାଙ୍ଗିଲା ପ୍ରଭୁ ଶ୍ରୀନୀଳମାଧବଙ୍କ ମନ୍ଦିର ପାଚେରୀ

ନୟାଗଡ଼,(ଓଡ଼ିଶା ଦର୍ପଣ):ଲଗାଣ ବର୍ଷାର ପ୍ରଭାବରେ ଜଗନ୍ନାଥ ସଂସ୍କୃତିର ଆଦିପୀଠ କଣ୍ଟିଲୋସ୍ଥିତ ପ୍ରଭୁ ଶ୍ରୀନୀଳମାଧବଙ୍କ ମନ୍ଦିରର ପୂର୍ବ ଓ ଉତ୍ତର କୋଣ ସ୍ନାନ ମଣ୍ଡପକୁ  ଲାଗି ରହିଥିବା ପୁରାତନ ପାଚେରୀଟି ଭୁଶୁଡ଼ି ପଡ଼ିଥିବା ଜଣାପଡିଛି। ପାଚେରୀଟି ଭୁଷୁଡି ପଡିଥିବାରୁ ଏହା ମେଘନାଦ ପ୍ରାଚୀର ପ୍ରତି ବିପଦ ସୃଷ୍ଟି କରିଛି।ସଫେଇ କର୍ମଚାରୀମାନେ ସେଠାରେ ସଫେଇ କାର୍ଯ୍ଯ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ମନ୍ଦିର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି। ଶ୍ରୀନୀଳମାଧବଙ୍କ ମନ୍ଦିର ପୂଜକ ସମାଜର ବରିଷ୍ଠ ସଦସ୍ଯ ମାନଙ୍କ  ଠାରୁ ଖବରପାଇ ଖଣ୍ଡପଡ଼ା ଦେବୋତ୍ତର କାର୍ଯ୍ଯ ନିର୍ବାହୀ ଅଧିକାରୀ ତଥା ତହସିଲଦାର ବିଶ୍ବବିଶୃତ ତ୍ରିପାଠୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି।ତେବେ ଶ୍ରୀନୀଳମାଧବଙ୍କ ମନ୍ଦିରର ସୁରକ୍ଷା ଓ  ରକ୍ଷଣାବେକ୍ଷଣ  ଦିଗରେ ଦେବୋତ୍ତର ବିଭାଗ ଉଚ୍ଚ କର୍ତ୍ତୃପକ୍ଷ, ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ କର୍ତ୍ତୃପକ୍ଷ ଓ ଲୋକ ପ୍ରତିନିଧିମାନେ ଯେତିକି ଆନ୍ତରିକତା ପ୍ରକାଶ କରିବା କଥା ତାହା କରି ନଥିବାରୁ ପ୍ରାଚୀନ ଐତିହ୍ୟ ଓ କିର୍ତ୍ତିରାଜି ଏବେ ଅସୁରକ୍ଷିତ ଅବସ୍ଥାରେ ଥିବା ଜଣାପଡିଛି। ଶ୍ରୀନୀଳମାଧବଙ୍କ ମନ୍ଦିରର ସୁରକ୍ଷା ଓ ସାମଗ୍ରିକ ବିକାଶ  ଦିଗରେ ରାଜ୍ଯ ସରକାର ଦୃଷ୍ଟି ଦେବାକୁ କଣ୍ଟିଲୋ ପଞ୍ଚାୟତବାସୀ ଦାବି କରିଛନ୍ତି।

ଅଧିକ ପଢନ୍ତୁ