ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ କରିବା ଏବଂ ଆଗକୁ ନେବା ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକର ଆଲୋଚନାରୁ ଜଣାପଡ଼ିଛି ଯେ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ ଓ ସ୍ୱଚ୍ଛ କରିବା ପାଇଁ ଏକ ଇ-ପୋର୍ଟାଲର ବିକାଶ କରାଯିବ । ଏଥିରେ ଶ୍ରୀଜଗନ୍ନାଥଙ୍କ ଜମି ଭୋଗଦଖଲ କରୁଥିବା ସେବାୟତ ଓ ଅଣସେବାୟତମାନେ ନିଜ ନିଜର ତଥ୍ୟ ସହଜ ଓ ସରଳ ଉପାୟରେ ପ୍ରଦାନ କରିପାରିବେ । ଏହା ଦ୍ୱାରା ଜମି ଦଖଲରେ ଥିବା ସମସ୍ତଙ୍କ ଏକ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହେବା ସହ ଶ୍ରୀଜଗନ୍ନାଥ ଜମି ବନ୍ଦୋବସ୍ତ ବ୍ୟବସ୍ଥା ଅଧିକ ସହଜ ଓ ଶୃଙ୍ଖଳିତ ହୋଇପାରିବ । ଏହି ବ୍ୟବସ୍ଥାକୁ ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ଇ-ପୋର୍ଟାଲକୁ ଅଧିକ ଉପଯୋଗୀ କରିବା ନେଇ ଆବଶ୍ୟକ ପରାମର୍ଶ ଦେଇଛନ୍ତି ।
