ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଜଣକ ସହକାରୀ କିରାଣି ବୋଲି ସୂଚନା ମିଳିଛି । ତେବେ ନାବାଳିକାଙ୍କ ସହ ଏଭଳି ଘଟଣା ବାରମ୍ୱାର ହେଉଥିବାରୁ ଏହା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ।ବିଦ୍ୟାଳୟର ଦଶମ ଶ୍ରେଣୀର ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଜଣେ ସହକାରୀ କିରାଣିଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ସୁନ୍ଦରଗଡ଼ କେ.ବଲାଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏକ ବିଦ୍ୟାଳୟରେ ଗଣେଶ ପୂଜା ଭସାଣି ପରେ ଏହି ଘଟଣା ଘଟିଥିବାନେଇ ଅଭିଯୋଗ ହୋଇଛି । ଦୁଇ ଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟକୁ ନେବା ବଦଳରେ ସମ୍ପୃକ୍ତ ସହକାରୀ କିରାଣି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଭୟରେ ଛାତ୍ରୀମାନେ ଚୁପ୍ ରହିଥିବା କୁହାଯାଉଛି । ତେବେ ଥରେନୁହଁ ବାରମ୍ୱାର ଏଭଳି ଘଟଣା ଘଟିବା ପରେ ଛାତ୍ରୀମାନେ ଶେଷରେ ଅତିଷ୍ଠ ହୋଇ ମୁହଁ ଖୋଲି ଅଭିଯୋଗ କରିଛନ୍ତି । ପରିବାର ପକ୍ଷରୁ ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ କେବଲାଙ୍ଗ ପୁଲିସ ତଦନ୍ତ ଆରମ୍ଭ କରିଛି ।ଅଭିଯୋଗକୁ ଆଧାର କରି ପୁଲିସ ସମ୍ପୃକ୍ତ ସହକାରୀ କିରାଣିଙ୍କୁ ଥାନାକୁ ନେଇ ପଚରାଉଚରା କରିଥିବା ଜଣାପଡ଼ିଛି । ତେବେ ଘଟଣାର ସତ୍ୟତା, ଅଭିଯୋଗର ପୃଷ୍ଠଭୂମି ଏବଂ ଅନ୍ୟ କୌଣସି ପକ୍ଷ ଜଡ଼ିତ କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।
