ଆଜି ପବିତ୍ର ମହାଳୟା । ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ

ଆଜି ପବିତ୍ର ମହାଳୟା। ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ। ପିତୃପୁରୁଷଙ୍କୁ ଆଜି ଶ୍ରାଦ୍ଧ ଓ ପିଣ୍ତଦାନ କରିବାର ପରମ୍ପରା ରହିଛି। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଆରମ୍ଭ ହୋଇଥିବା ଏହି ପିତୃପକ୍ଷରେ ପିତୃ ପୁରୁଷମାନେ ମର୍ତ୍ତମଣ୍ଡଳକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି ।ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ । ଯେଉଁ ତିଥିରେ ଯାହାଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟି, ପ୍ରପିତାମୟି, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯିବାର ବିଧି ରହିଛି ।ବିଶେଷ କରି ତୀର୍ଥକ୍ଷେତ୍ର ଓ ତୀର୍ଥ ପୁଷ୍କରିଣୀରେ ପିଣ୍ତଦାନ ସହ ତର୍ପଣ କରାଯାଉଥିବାରୁ ପୁରୀରେ ଏଥିପାଇଁ ବହୁତ ଭକ୍ତ ଆସି ପିଣ୍ତଦାନ କରିଛନ୍ତି। ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତ ମାନେ ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରିପାରିବେ ସେନେଇ ବିଶେଷ ଦୃଷ୍ଟି ଦିଆଯାଇଛି।

ଅଧିକ ପଢନ୍ତୁ