ପୁଟିନ୍‌ଙ୍କ ଆଗରେ ନଇଁଲେ ଟ୍ରମ୍ପ ! ରୁଷରୁ ଡିଜେଲ କିଣିବ ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷର ଡିଜେଲ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦେଇଛନ୍ତି । ଏହା ଏପ୍ରିଲ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ଋଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଏହି ଘୋଷଣା ଏପରି ସମୟରେ ଆସିଛି ଯେତେବେଳେ ଋଷର ତୈଳ ଏବଂ ଗ୍ୟାସର ପ୍ରମୁଖ କ୍ରେତାମାନଙ୍କ ଉପରେ ଭାରୀ ଶୁଳ୍କ ଲାଗୁ କରିବାକୁ ଆମେରିକାରେ ଏକ ଆଇନ ପ୍ରୟୋଗ କରାଯାଉଛି । ଏଣିକି ଆମେରିକାକୁ ଡିଜେଲ ଯୋଗାଇବ ଋଷ । ପୁଟିନ୍ ରାଜି ହୋଇଥିବା କହିଛନ୍ତି ଟ୍ରମ୍ପ ।ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକା ଏବଂ ବିଶ୍ୱ ବଜାରକୁ ୩ ଲକ୍ଷ ମେଟ୍ରିକ୍ ଟନ୍ ଇନ୍ଧନ ଯୋଗାଣ କରିବାକୁ ରାଜି ହୋଇଛନ୍ତି। ପୁଟିନଙ୍କ ସହ ସଫଳ ଆଲୋଚନା ପରେ ଟ୍ରମ୍ପ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି।ସେ କହିଛନ୍ତି, ଏହି ନିଷ୍ପତ୍ତି ଇରାନ ସହିତ ଉତ୍ତେଜନା ମଧ୍ୟରେ ବର୍ଦ୍ଧିତ ଶକ୍ତି ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ। ତେବେ ପୁଟିନଙ୍କ ସହ ଏହି ଚୁକ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ କ୍ରୋଧିତ କରିଛି। ସେ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଯୁଦ୍ଧରେ ନିବେଶ ବୋଲି କହିଛନ୍ତି। ସେ ଏହି ପଦକ୍ଷେପକୁ ଦୁର୍ବଳ ଏବଂ ଅନ୍ୟାୟ ବୋଲି କହିଛନ୍ତି। ଏହି ନିଷ୍ପତ୍ତି ୟୁକ୍ରେନ ଏବଂ ଅନ୍ୟ ସହଯୋଗୀଙ୍କ ପ୍ରତି ଏକ ବଡ଼ ଅନ୍ୟାୟ। କାରଣ ପେଟ୍ରୋଲିୟମ ଉତ୍ପାଦ ବିକ୍ରୟକୁ ଅନୁମତି ଦେବା ଦ୍ୱାରା ମସ୍କୋକୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିବା ପାଇଁ ଅତିରିକ୍ତ ପାଣ୍ଠି ମିଳିବ। ଜେଲେନସ୍କି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ପୁଟିନଙ୍କୁ ଉପହାର ଦେବା ଦ୍ୱାରା ନା ଶାନ୍ତି ଆସିବ ନା ସଭ୍ୟ ବିଶ୍ୱର ଲାଭ ହେବ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି, ମୁଁ ଭାବୁଛି ଆମ ଦଳକୁ କେବଳ ବଳିର ଛେଳି ଭାବରେ ବ୍ୟବହାର କରାଯାଉଛି। ଏହା ଠିକ୍ ନୁହେଁ। ଅଂଶୀଦାରମାନେ ପରସ୍ପର ସହିତ ଏପରି ବ୍ୟବହାର କରିବା ଉଚିତ୍ ନୁହେଁ। ଜେଲେନସ୍କି ଏହି ଚୁକ୍ତିନାମାକୁ ଜଣେ ଶକ୍ତିଶାଳୀ ସହଯୋଗୀଙ୍କର ଏକ ଦୁର୍ବଳ ନିଷ୍ପତ୍ତି ବୋଲି କହିଛନ୍ତି।

ଅଧିକ ପଢନ୍ତୁ