ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ନେତା ମାନେ ହିଂସା ଓ ଅପହରଣର ଆଶ୍ରୟ ନେଉଛନ୍ତି । ବିଜେପିକୁ ନିର୍ବାଚନ ପରାଜୟ ଭୟ ଘାରିଛି । ବିସିଜେଡି ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ବିଜେପିର ମନ୍ତ୍ରୀ ଓ ବିଧାୟକ ମାନେ ଚାପ ପକାଉଛନ୍ତି । ବିଜେପି ଅଗଣତାନ୍ତ୍ରିକ ଉପାୟରେ ନିର୍ବାଚନ ଜିତିବାକୁ ପ୍ରୟାସ କରୁଥିବାରୁ କଡ଼ା ସମାଲୋଚନା କରିଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ।ବିଜେପି ସରକାରରେ ଛାତ୍ର ସଂସଦ ନିର୍ବାଚନ ପ୍ରହସନରେ ପରିଣତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଞ୍ଚଳର ୟୁକେ ମହାବୀର ମହାବିଦ୍ୟାଳୟର ବିସିଜେଡି ପ୍ରାର୍ଥୀଙ୍କୁ ରାଜନଗରର ବିଜେପି ବିଧାୟକ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମାନେ ଜୋରଜବରଦସ୍ତି ଅପହରଣ କରି ନେଇ ନାମାଙ୍କନ ପ୍ରତ୍ୟାହାର କରିବାକୁ ବାଧ୍ୟ କରିଛନ୍ତି । ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ବାବଦରେ ସବୁ ଜାଣି ସୁଦ୍ଧା ପୋଲିସ ପ୍ରଶାସନ ନୀରବ ରହିଛି । ଛାତ୍ର ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ବିଜେପି ସରକାର ଅଗଣତାନ୍ତ୍ରିକ ଉପାୟରେ ହତ୍ୟା କରୁଛି । ବିଜେପିର ମନ୍ତ୍ରୀ, ବିଧାୟକ ଓ ନେତା ମାନେ ଅପରାଧିକ କାର୍ଯ୍ୟକଳାପ ଭିଆଉଛନ୍ତି, ଏହା ଆଦୌ ଗ୍ରହଣୀୟ ନୁହେଁ । ବିଜେପି ଅପଶକ୍ତିର ନିଶ୍ଚିତ ପରାଜୟ ହେବ ବୋଲି କହିଛନ୍ତି ଗଣେଶ୍ୱର ବେହେରା
