ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କ ବିରୋଧରେ ପୋକ୍ସୋ ମାମଲା

ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଛି କଳଙ୍କ । ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ରଣସାହି ପଞ୍ଚାୟତର ଜୟନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ପଞ୍ଚମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଖେଳ ଛୁଟିରେ ଡାକି ବାରମ୍ବାର ଛାତ୍ରୀ ଜଣକୁ ଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଆସୁଥିଲା । ନାଁ ହିମାଂଶୁ ଶେଖର ଚୌଧୁରୀ। ପେଶାରେ ପ୍ରାଥମିକ ସ୍କୁଲ୍ ଶିକ୍ଷକ। ନିଯୁକ୍ତ ହୋଇଛନ୍ତି ବାଲେଶ୍ବର ଚାନ୍ଦିପୁର ଥାନା ଜୟନଗର ସରକାରୀ ସ୍କୁଲରେ। ଅଭିଯୋଗ ହୋଇଛି, ଦୀର୍ଘ ଦିନ ଧରି ଖେଳ ଛୁଟିର ମଉକା ଦେଖି ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ କ୍ଲାସରୁମକୁ ଡାକି ଅସଦାଚରଣ ସହ କରିଆସୁଥିଲେ ‘ବ୍ୟାଡ୍ ଟଚ୍’। ଏ ସମ୍ପର୍କରେ ଛାତ୍ରୀଜଣକ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଗ୍ରାମବାସୀ ଓ ଅଭିଭାବକ ବି ବାରମ୍ବାର ଘଟଣାକୁ ନେଇ ପ୍ରତିବାଦ କରିଥିଲେ। କିନ୍ତୁ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କୌଣସି ଆକ୍ସନ ନିଆଯାଇନଥିଲା। ଶେଷରେ ଆଜି ପୁଣି ସେହି କାଣ୍ଡ ଭିଆଇବାବେଳେ ଗ୍ରାମବାସୀ ଓ ଅଭିଭାବକ ରେଡ୍ ହାଣ୍ଡେଡ୍ ଧରି ଚାନ୍ଦିପୁର ପୋଲିସକୁ ଜିମା ଦେଇଛନ୍ତି। ପୀଡ଼ିତା ଛାତ୍ରୀଙ୍କ ଅଭିଭାବକଙ୍କ ଏତଲା ଆଧାରରେ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ ସହ ପୋଲିସ ଶିକ୍ଷକଙ୍କୁ ଧରି ତଦନ୍ତ ଚଳାଇଛି।

ଅଧିକ ପଢନ୍ତୁ