ଆଜି ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଦଶହରାରେ ଶୁଖିଲା ପାଗ

ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ ସ୍ପଷ୍ଟ ହୋଇ ନ ଥିବାବେଳେ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କିମ୍ବା ସୁଦୃଶ ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଛି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ବର୍ତ୍ତମାନ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଦଶହରା ସମୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ପ୍ରାୟତଃ ଶୁଖିଲା ରହିପାରେ । ତେବେ ଦକ୍ଷିଣ ଉପକୂଳ ଓ ନିକଟବର୍ତ୍ତୀ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ କିଛି ବର୍ଷା ହୋଇପାରେ । ତାଙ୍କ ଆକଳନ ଅନୁସାରେ ବର୍ତ୍ତମାନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ପାଗ ପ୍ରାୟ ଶୁଖିଲା ରହିପାରେ । ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକରେ କାଁ ଭାଁ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୧୭ରୁ ୧୯ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ଏବଂ ଅଳ୍ପ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।

ଅଧିକ ପଢନ୍ତୁ