ଇସ୍ରାଏଲ-ଭିଏନା ବିମାନରେ ବୋମା ଆତଙ୍କ: ବୁଲଗେରିଆରେ ଜରୁରୀକାଳୀନ ଅବତରଣ

ଆକାଶରେ ଉଡ଼ୁଥିଲା ବିମାନ । ହଠାତ୍ ଆସିଲା ବୋମା ଥିବା ଧମକ । ଆଉ ଏହାପରେ ଯାତ୍ରୀଙ୍କଠାରୁ ସୁରକ୍ଷା ଏଜେନ୍ସି ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଖେଳିଗଲା ଆତଙ୍କ । ଇସ୍ରାଏଲର ତେଲ୍ ଆଭିଭ୍ରୁ ଅଷ୍ଟ୍ରିଆର ରାଜଧାନୀ ଭିଏନା ଯାଉଥିବା ଏକ ବିମାନରେ ବୋମା ଧମକ ମିଳିବା ପରେ ବୁଲଗେରିଆର ରାଜଧାନୀ ସୋଫିଆରେ ବିମାନଟିର ଜରୁରୀ ଅବତରଣ କରାଯାଇଛି ।ବିମାନରେ ଥିବା ଛଅ ଜଣ କ୍ରୁ ସଦସ୍ୟ ଏବଂ ୫୧ ଜଣ ଯାତ୍ରୀଙ୍କୁ ବାହାରକୁ ଆଣାଯାଇଥିଲା। ପ୍ରାରମ୍ଭିକ ସୁରକ୍ଷା ଯାଞ୍ଚ୍‌ରେ ବିମାନରେ କିଛି ସନ୍ଦେହଜନକ ବସ୍ତୁ ନଥିବା ଜଣାପଡିଥିଲା। ବୁଲଗେରିଆର ପରିବହନ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ଅନୁଯାୟୀ, ଫ୍ଲାଇଟ୍ ଓଏସ-୮୨ ଭାବରେ କାର୍ଯ୍ୟ କରୁଥିବା ବିମାନକୁ ରୋମାନିଆ ସୀମା ନିକଟରେ ଧମକ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସ୍କାଏ ନ୍ୟୁଜ୍ ଫ୍ଲାଇଟ୍-ଟ୍ରାକିଂ ତଥ୍ୟ ଅନୁସାରେ ଯେ ଅଷ୍ଟ୍ରିଆନ୍ ଏୟାରଲାଇନ୍ସ ବିମାନ ରାତି ୯ଟା ୨୫ରେ ଅବତରଣ କରିଥିଲା।ଅଷ୍ଟ୍ରିଆନ୍ ଏୟାରଲାଇନ୍ସର ଏକ ଏୟାରବସ୍ A320 ବିମାନ ଇସ୍ରାଏଲର ତେଲ୍ ଆଭିଭରୁ ଅଷ୍ଟ୍ରିଆର ଭିଏନା ଅଭିମୁଖେ ଯାଉଥିଲା ।ଅନ୍ୟ ଏକ ଫ୍ଲାଇଟ୍ ଟ୍ରାକିଂ ପ୍ଲାଟଫର୍ମ ADS-B ଏକ୍ସଚେଞ୍ଜର ତଥ୍ୟ ଅନୁସାରେ, ସେହି ସମୟରେ ବିମାନର ଟ୍ରାନ୍ସପଣ୍ଡରରୁ ୭୭୦୦ ସ୍କ୍ୱାକ୍ କୋଡ୍ ପ୍ରସାରଣ ହେଉଥିଲା । ବିମାନ ଚଳାଚଳ କ୍ଷେତ୍ରରେ ଏହି କୋଡ୍ ସାଧାରଣତଃ ଜରୁରୀକାଳୀନ ପରିସ୍ଥିତି ସୂଚାଇବା ପାଇଁ ବ୍ୟବହୃତ ହୋଇଥାଏ । ଏପଟେ, ଫ୍ଲାଏଦୁବାଇ ବିମାନକୁ ହାଇଜାକ୍ କରିବା ଉଦ୍ୟମ ଘଟଣାକୁ ଏକ ମାସ ମଧ୍ୟ ପୂରିନଥିବା ବେଳେ ପୁଣି ଏକ ବିମାନରେ ବୋମା ଧମକ ମିଳିବା ଘଟଣା ବିମାନ ଯାତ୍ରାର ସୁରକ୍ଷାକୁ ନେଇ ଚର୍ଚ୍ଚା ବଢ଼ାଇଛି ।

ଅଧିକ ପଢନ୍ତୁ