ବଲିଉଡର ଜଣାଶୁଣା ଗାୟିକା ନୀତି ମୋହନ ଏବଂ କୋରିଓଗ୍ରାଫର ଶକ୍ତି ଏବଂ ମୁକ୍ତି ମୋହନଙ୍କ ବାପାଙ୍କ ପରଲୋକ ହୋଇଛି । ବଲିଉଡର ଚର୍ଚ୍ଚିତ ଭଉଣୀ ନୀତି-ମୁକ୍ତି-ଶକ୍ତିଙ୍କ ବାପା ବ୍ରିଜ ମୋହନ ଶର୍ମାଙ୍କର ଦେହାନ୍ତ ହୋଇଛି । ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ନୀତିଙ୍କ ବାପା ।ଗତକାଲି (ରବିବାର) ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି ସିଙ୍ଗର ନୀତି ମୋହନ । ଇନଷ୍ଟାଗ୍ରାମ ପୋଷ୍ଟରେ ନୀତି ମୋହନ ବାପାଙ୍କୁ ମନେ ପକାଇ ଦୁଃଖପ୍ରକାଶ କରିଛନ୍ତି । ବଲିଉଡର ଅନେକ କଳାକାର ଏବଂ ସିଙ୍ଗର ବ୍ରିଜ ମୋହନଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ଶ୍ରେୟା ଘୋଷାଲ, ବସ୍କୋ ମାର୍ଟିସଙ୍କ ସମେତ ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି ।ନୀତି ମୋହନ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱର୍ଗତ ପିତାଙ୍କ ଫଟୋ ସେୟାର କରି ତାଙ୍କ ମୃତ୍ୟୁ ଖବର ଦେଇଛନ୍ତି । ସେ ଲେଖିଛନ୍ତି. “ଗଭୀର ଦୁଃଖ ଏବଂ ଭାରି ହୃଦୟର ସହିତ ଏହା ଜଣାଉଛୁ ଯେ, ” ଆମର ପିତା ଶ୍ରୀ ବ୍ରିଜ ମୋହନ ଶର୍ମାଙ୍କର ନିଧନ ହୋଇଛି । ଅକ୍ଟୋବର ୧୫ରେ ସେ ଦୁନିଆକୁ ବିଦାୟ କହିଛନ୍ତି । ସେ ଜଣେ ଭଲ ସ୍ୱାମୀ ଏବଂ ବାପା ଜଣେ ମାର୍ଗଦର୍ଶନ ଏବଂ ଆମ ଘରର ସ୍ତମ୍ଭ ଥିଲେ । ତାଙ୍କ ଜ୍ଞାନ, ଦୟା, ମୂଲ୍ୟବୋଧ ଏବଂ ଭଲ ପାଇବା ସର୍ବଦା ଆମ ହୃଦୟରେ ରହିବ । ସେ ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତ ତାଙ୍କ ଆଶୀର୍ବାଦ, ଶିକ୍ଷା ଏବଂ ସ୍ମୃତି ଆମ ଜୀବନସାରା ଆମକୁ ମାର୍ଗଦର୍ଶନ କରିବ । ତାଙ୍କର ଦେହାନ୍ତ ଏକ ଶୂନ୍ୟସ୍ଥାନ ଛାଡିଛି ଯାହା କେବେ ପୂରଣ ହୋଇପାରିବ ନାହିଁ । ”
