ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇଠାରେ ଅକ୍ଟୋବର ୨୨ରୁ ଆରମ୍ଭ ହେଉଥିବା  ‘ଇଣ୍ଡିଆ କେମ୍ ୨୦୨୬’ (India Chem 2026) ସମ୍ମିଳନୀରେ ଓଡ଼ିଶା ନିଜର ଶିଳ୍ପ ଦକ୍ଷତା, ବିଶାଳ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ନିବେଶ ସମ୍ଭାବନାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ। ଏହି ଦୁଇଦିନିଆ ଗସ୍ତ କାଳରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ‘ଇଣ୍ଡିଆ କେମ୍ ୨୦୨୬’ର ଉଦ୍‌ଘାଟନୀ ସମାରୋହ ଏବଂ ହାଇ-ପ୍ରୋଫାଇଲ୍ ‘ସିଇଓ ରାଉଣ୍ଡଟେବୁଲ୍’ ବୈଠକରେ ଯୋଗଦେବେ। 

ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ମୁମ୍ବାଇ ଗସ୍ତ କରି ୨୨ ଓ ୨୩ ତାରିଖ ଦୁଇ ଦିନ ଧରି କେମିକାଲ ଓ ପେଟ୍ରୋ-କେମିକାଲ କ୍ଷେତ୍ରର ଉଦ୍ୟୋଗପତି ଓ ସିଇଓ ମାନଙ୍କ ସହିତ ଆଲୋଚନା କରି ଓଡିଶାରେ ନିବେଶ ପାଇଁ ପ୍ରସ୍ତାବ ରଖିବେ। ୨୩ ତାରିଖ ଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିବେ।କେନ୍ଦ୍ର ରସାୟନ, ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଶ-ବିଦେଶର ୨୦ରୁ ଉର୍ଦ୍ଧ୍ୱ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ପୋରେଟ୍ ଅଧ୍ୟକ୍ଷ ମାନଙ୍କ ସହ ସିଧାସଳଖ ‘ୱାନ୍-ଟୁ-ୱାନ୍’ (ସାକ୍ଷାତକାର) ଆଲୋଚନା କରିବେ। ବିଶେଷ କରି ଡାଉନ୍‌ଷ୍ଟ୍ରିମ୍ ଉତ୍ପାଦନ, ଶିଳ୍ପ ପ୍ରସାର ଏବଂ ନୂତନ ପ୍ରକଳ୍ପ ସ୍ଥାପନ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। 

ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ ତାମିଲନାଡୁ ଭଳି ରାଜ୍ୟଗୁଡ଼ିକ ସହିତ ଓଡ଼ିଶା ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବ। ଏହି କାର୍ଯ୍ୟକ୍ରମ ଓଡ଼ିଶାକୁ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ଶିଳ୍ପ ଅଂଶୀଦାରମାନଙ୍କ ସହ ସମ୍ପର୍କ ଅଧିକ ସୁଦୃଢ଼ କରିବାର ସୁଯୋଗ ଦେବ।

ଅଧିକ ପଢନ୍ତୁ