ପିଏମ୍ ମୋଦିଙ୍କୁ ନେଇ ଖଡ଼ଗେଙ୍କ ବିବାଦୀୟ ମନ୍ତବ୍ୟରେ ରାଜନୈତିକ ଝଡ଼ । ମୋଦିଙ୍କୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଜାତୀୟ ରାଜନୀତି ସରଗରମ । ଆଜି ଦେଶବ୍ୟାପୀ ପ୍ରତିବାଦ ପାଇଁ ଘୋଷଣା କରିଛି ବିଜେପି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ‘ବାପ୍ ଭି ଜାଏଗା’ ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି । ଏହାକୁ କେନ୍ଦ୍ରକରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ନୀତିନ ନବୀନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଦଳର ଅନେକ ବରିଷ୍ଠ ନେତା କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି । କଂଗ୍ରେସ ପାଖରେ ଏବେ କେବଳ ‘ଗାଳିଗୁଲଜ ରାଜନୀତି’ ରହିଥିବା ଶାହ କହିଛନ୍ତି । ଏ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ କୃଷ୍ଣ ସିଂହ କଲ୍ଲୁ ପାଟନାର କୋତୱାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସଭା ମଝିରେ ଜଣେ ବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ଏହି ମନ୍ତବ୍ୟ ଆସିଥିବା କହି ଘଟଣାର ପ୍ରସଙ୍ଗ ଉଠାଇଛି କଂଗ୍ରେସ । ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଡକ୍ଟର ଶ୍ରୀକୃଷ୍ଣ ସିଂହଙ୍କ ୧୩୯ତମ ଜୟନ୍ତୀ ଅବସରରେ ପାଟନାର ବାପୁ ସଭାଗାରରେକାର୍ଯ୍ୟକ୍ରମ ହୋଇଥିଲା । ସଭାରେ ଖଡ଼ଗେ ବିଜେପି, ଆରଏସଏସ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଭାଷଣ ଦେଉଥିବା ସମୟରେ ହଠାତ୍ ହୋହଲ୍ଲା ଆରମ୍ଭ ହୋଇଥିଲା । ଖଡ଼ଗେଙ୍କ ଭାଷଣ ଚାଲିଥିବା ବେଳେ ସଭାରେ ଉପସ୍ଥିତ ଜଣେ ବ୍ୟକ୍ତି ମୋଦି ନହିଁ ଜାଏଗା ବୋଲି କହିଥିଲେ । ଏହାର ଜବାବରେ ଖଡ଼ଗେ ହିନ୍ଦୀରେ କହିଥିଲେ, ମୋଦୀ କା ବାପ୍ ଭି ଜାଏଗା । ଅର୍ଥାତ୍ ମୋଦିଙ୍କ ବାପା ମଧ୍ୟ ଯିବେ ବୋଲି ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟର ଭିଡିଓ ସାମ୍ନାକୁ ଆସିବା ପରେ ରାଜନୈତିକ ବିବାଦ ଆରମ୍ଭ ହୋଇଥିଲା । ଜଣେ ଜାତୀୟ ଦଳର ଅଧ୍ୟକ୍ଷଙ୍କ ମୁହଁରୁ ଏଭଳି ଭାଷା ଶୋଭା ପାଉନାହିଁ ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ।
