ମୀକା ସିଂହଙ୍କ ଦାବିକୁ ଖଣ୍ଡନ କଲେ ମନ୍ତ୍ରୀ, ଦଲେରଙ୍କୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନି

ଉତ୍ତରାଖଣ୍ଡର କୁଞ୍ଜାପୁରୀ ମେଳାରେ ଦଲେର ମେହେନ୍ଦିଙ୍କ ସଙ୍ଗୀତ ପରିବେଷଣକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଦଲେର ମେହେନ୍ଦିଙ୍କୁ ମନ୍ତ୍ରୀ ସୁବୋଧ ଉନିୟାଲ କ୍ଷମା ମାଗିଥିବା ନେଇ ମୀକା ସିଂହଙ୍କ ଟିମ୍ ଦାବି କରିଥିଲା । ହେଲେ ଏହି ଦାବିକୁ ଖଣ୍ଡନ କରିଛନ୍ତି ନିଜେ ମନ୍ତ୍ରୀ ।ଏକ ସାକ୍ଷାତକାରରେ ଦଲେର ମେହେନ୍ଦିଙ୍କୁ କ୍ଷମା ମାଗିଛନ୍ତି କି ବୋଲି ପଚରାଯିବାରୁ ସୁବୋଧ ଉନିୟାଲ କହିଥିଲେ, କ୍ଷମା ମାଗିବାର ପ୍ରଶ୍ନ ହିଁ ଉଠୁନାହିଁ । ସେ କ’ଣ କୌଣସି ଅପରାଧ କରିଛନ୍ତି ଯେ କ୍ଷମା ମାଗିବେ ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଦଲେର ମେହେନ୍ଦିଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ନିଜ ପକ୍ଷ ରଖିଛନ୍ତି ମନ୍ତ୍ରୀ । ଯଦି ଗାୟକଙ୍କ ଦେହ ଖରାପ ଥିଲା, ତେବେ ସେ କାର୍ଯ୍ୟକ୍ରମକୁ ଆସିବା ଉଚିତ ନଥିଲା ବୋଲି ସେ କହିଛନ୍ତି । ଯଦି ଆସିଥିଲେ, ତେବେ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ଆୟୋଜକ ଓ ଉପସ୍ଥିତ ଲୋକଙ୍କୁ ଆଗରୁ ଜଣାଇବା ଆବଶ୍ୟକ ଥିଲା ବୋଲି ମନ୍ତ୍ରୀ ଯୁକ୍ତି ରଖିଛନ୍ତି ।

ଏହି ଘଟଣାରେ ଭୁଲ୍ କାହାର ଏବଂ କିଏ କ୍ଷମା ମାଗିବା ଉଚିତ, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୁବୋଧ ଉନିୟାଲ। ଯିଏ ଭୁଲ୍ କରିଛନ୍ତି, ସେ ହିଁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ପାଇଁ ଦଲେର ମେହେନ୍ଦିଙ୍କୁ ଅର୍ଥ ଦିଆଯାଇଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଦର୍ଶକଙ୍କ ଆଶା ପୂରଣ କରିନଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି।ଏହି ବିବାଦର ଆରମ୍ଭ ହୋଇଥିଲା ଦଲେର ମେହେନ୍ଦିଙ୍କ ମଞ୍ଚ ପ୍ରଦର୍ଶନକୁ ନେଇ। କାର୍ଯ୍ୟକ୍ରମ ଚାଲିଥିବା ସମୟରେ ମଞ୍ଚକୁ ଆସି ମନ୍ତ୍ରୀ ତାଙ୍କ ଗୀତ ଗାଇବା ଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ଲିପ୍-ସିଙ୍କ୍ ଏବଂ ମଦ୍ୟପାନ କରି ଆସିଥିବା ଭଳି ଅଭିଯୋଗ କରିଥିଲେ।ଏହାପରେ ଦଲେର ମେହେନ୍ଦିଙ୍କ ସମର୍ଥନରେ ବାହାରିଥିଲେ ତାଙ୍କ ଭାଇ ତଥା ଗାୟକ ମୀକା ସିଂହ। ମନ୍ତ୍ରୀଙ୍କ ଆଚରଣକୁ ନେଇ ଆପତ୍ତି ଉଠାଇବା ସହ କ୍ଷମା ମାଗିବାକୁ ଦାବି କରିଥିଲେ। ବିବାଦର ସମାଧାନ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ଦଲେର ମେହେନ୍ଦି ଓ ମୀକା ସିଂହଙ୍କ ସହ କଥା ହୋଇଥିବା ଏବଂ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିଥିବା ଖବର ଆସିଥିଲା। କିନ୍ତୁ ଏବେ ମନ୍ତ୍ରୀଙ୍କ ଖଣ୍ଡନ ପରେ ପୁଣି ତେଜିଛି । ତେବେ ଏହି ଘଟଣାରେ ଆଗକୁ କେଉଁ ମୋଡ଼ ଆସୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଅଧିକ ପଢନ୍ତୁ