ରାଜଧାନୀରେ ଏକ ଲଭ ଜିହାଦ୍ ଭଳି ଘଟଣା ପଦାକୁ ଆସିଛି । ନିଜକୁ ହିନ୍ଦୁ ବୋଲି କହି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଅଶ୍ଳୀଳ ଭିଡିଓ ରେକର୍ଡିଂ କଲେ । ପରେ ବ୍ଲାକ୍ ମେଲିଂ କରି ଟଙ୍କା ମାଗିଲେ । ପ୍ରତିବାଦ କରିବାକୁ ମାଡ଼ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କଲେ । ଯୁବତୀଙ୍କ ଅଭିଯୋଗ ପରେ ଏହି ନେଇ ମହିଳା ଥାନା ପୁଲିସ୍ କେନ୍ଦ୍ରାପଡ଼ାର ସେକ୍ ଇରଫାନ୍ ନାମକ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।୨୦ ବର୍ଷ ବୟସର ଏହି ଯୁବତୀ ଜଣକ ଭୁବନେଶ୍ବରରେ ରହି ଏକ ଘରୋଇ ସଂସ୍ଥାରେ ଚାକିରି କରୁଛନ୍ତି। ୨୦୨୫ ମାର୍ଚ୍ଚରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ୍ରେ ଅଭିଯୁକ୍ତ ଇରଫାନ୍ ସହ ଯୁବତୀଙ୍କର ପରିଚୟ ହୋଇଥିଲା। ସେତେବେଳେ ଇରଫାନ୍ ନିଜ ଇନ୍ଷ୍ଟାଗ୍ରାମ୍ ଆଇଡିରେ ନିଜକୁ ‘କୁମାର ପିଣ୍ଟୁ’ ବୋଲି ଦର୍ଶାଇଥିଲା। ଏମିତିକି ଧର୍ମ ଲୁଚାଇ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲା। ମାତ୍ର ଦେଢ଼ରୁ ଦୁଇ ମାସ ମଧ୍ୟରେ ଅଭିଯୁକ୍ତ ଇରଫାନ୍ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେବା ସହ ଏକାଠି ରହିବାକୁ କହିଥିଲେ। ଯୁବତୀ ଜଣକ ରାଜି ହୋଇଯାଇଥିଲେ। ସେମାନେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ୍ ଛକ ନିକଟରେ ଏକ ଘର ଭଡ଼ା ନେଇ ରହିଥିଲେ।କିଛି ଦିନ ତଳେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ କୁମାର ପିଣ୍ଟୁ ନାମକ ଏହି ଯୁବକ ହିନ୍ଦୁ ନୁହନ୍ତି । ତାଙ୍କ ପ୍ରକୃତ ନାମ ସେକ୍ ଇରଫାନ୍ । ଏପରିକି ଇରଫାନ୍ ଏକାଧିକ ଯୁବତୀ ଓ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି । ସେମାନଙ୍କ ଅନ୍ତରଙ୍ଗ ସମୟର ଫଟୋ ଓ ଭିଡିଓ ରଖିଛନ୍ତି । ଯୁବତୀ ଜଣଙ୍କ ଏ ବିଷୟରେ ଇରଫାନ୍ଙ୍କୁ ପଚାରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ପରେ ଇରଫାନ୍ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ଏସବୁ ଦେଖି ଯୁବତୀ ଜଣଙ୍କ କିଛି ଉପାୟ ନପାଇ ଲୋକ ଲଜ୍ଜ୍ୟା ପାଇଁ ଇରଫାନ୍ଠାରୁ ସମ୍ପର୍କ ଛନ୍ନ କରି ଦୂରେଇ ଯାଇଥିଲେ । ତେବେ ଇରଫାନ୍ ତାଙ୍କୁ ବାରମ୍ବାର ଯୋଗାଯୋଗ କରି ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇ ବ୍ଲାକ୍ ମେଲିଂ କରିବା ଆରମ୍ଭ କରି ଟଙ୍କା ମାଗିଥିଲେ । ଯୁବତୀ କିଛି ଶୁଣି ନଥିଲେ । ତେବେ ଏମିତି ଉକ୍ତ ଫଟୋ ଓ ଭିଡିଓକୁ ଅଭିଯୁକ୍ତ ତାର ବିଭିନ୍ନ ସହଯୋଗୀଙ୍କୁ ପଠାଇଥିବା ପୁଲିସ ଜାଣିବାକୁ ପାଇଛି। ଇରଫାନ୍ର ଏହି ଲଭ୍ ଜିହାଦ୍ ପଛରେ କାହାର ହାତ ରହିଛି ଏବଂ ତା’ର କୌଣସି ଜିହାଦୀ ସଂଗଠନ ସହ ସମ୍ପର୍କ ରହିଛି କି ନାହିଁ ସେ ଦିଗରେ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।
