Oplus_131072

ନଭେମ୍ବର ୨ରେ ନୟାଗଡ଼ ବ୍ଲକସ୍ତରୀୟ ‘ସୁରଭି’ : ୧୫ଟି କ୍ଲଷ୍ଟରରୁ ଯୋଗଦେବେ ୪୫୦ ଛାତ୍ରଛାତ୍ରୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୨ ତାରିଖରେ ନୟାଗଡ଼ ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଉପଲକ୍ଷେ ଆଜି ନୟାଗଡ଼ ଉପକଣ୍ଠସ୍ଥ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।

ବ୍ଲକ ଶିକ୍ଷାଧିକାରିଣୀ ମୁନରାଣୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରିଣୀ ଅମିତା ମିଶ୍ର ଏବଂ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।

ଚଳିତ ବର୍ଷର ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମକୁ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସଫଳତାର ସହ ଆୟୋଜନ କରିବା ପାଇଁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ, ଶୃଙ୍ଖଳିତ ଓ ସଫଳତାର ସହ ସମ୍ପନ୍ନ କରିବା ନିମନ୍ତେ ବ୍ଲକ ଶିକ୍ଷାଧିକାରିଣୀ ଶିକ୍ଷକ-ଶିକ୍ଷୟିତ୍ରୀ, ଆୟୋଜକ କମିଟିର ସଦସ୍ୟ ଓ ଅଭିଭାବକମାନଙ୍କ ସହଯୋଗ କାମନା କରିଛନ୍ତି।

ଏହି ପ୍ରତିଭା ଅନ୍ୱେଷଣ ଓ ବିକାଶମୂଳକ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରୁ ପ୍ରାୟ ୪୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ କରିବେ। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ଆତ୍ମବିଶ୍ୱାସ ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ହେବା ସହ ସେମାନଙ୍କୁ ନିଜ ପ୍ରତିଭାକୁ ଆଗକୁ ନେବାର ସୁଯୋଗ ମିଳିବ।

ବୈଠକରେ ବିଭିନ୍ନ ଶିକ୍ଷକ ସଂଗଠନର ନେତୃବୃନ୍ଦ, ସମସ୍ତ ସିଆରସିସି ଏବଂ ‘ସୁରଭି’ ଆୟୋଜନ ପାଇଁ ଗଠିତ ବିଭିନ୍ନ କମିଟିର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ଓ ସଫଳ ଆୟୋଜନ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ। ବରିଷ୍ଠ ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ ସହିତ ମଞ୍ଚ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ‘ସୁରଭି’ କମିଟିର ସଂଗଠନ ସମ୍ପାଦକ ଝୁମୁରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ