ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ନୟାଗଡ଼,(ଓଡିଶା ଦର୍ପଣ): ନୟାଗଡ଼ସ୍ଥିତ କେ.ସି. କ୍ଲବ୍‌ ପରିସରରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପୋଷ୍ଟ ସୁପରିଟେଣ୍ଡେଣ୍ଟ ମନୋଜ କୁମାର ପଟ୍ଟନାୟକ, ସାଇବର କ୍ରାଇମ୍‌ ଡିଏସ୍‌ପି ଶ୍ରୀ ଭାବଗ୍ରାହୀ ରାଉତ, ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଭୁତି ଭୂଷଣ ନାୟକ ପ୍ରମୁଖ ଉପସ୍ଥିତ ରହି ମିତବ୍ୟୟିତା, ସଞ୍ଚୟ ଓ ଆର୍ଥିକ ସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଅତିଥିମାନେ ଦୈନନ୍ଦିନ ଜୀବନରେ ଅନାବଶ୍ୟକ ଖର୍ଚ୍ଚକୁ ଏଡ଼ାଇ ସଞ୍ଚୟ ଅଭ୍ୟାସ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ । ବିଶେଷକରି ଡିଜିଟାଲ୍‌ ଯୁଗରେ ଅନଲାଇନ୍‌ ଆର୍ଥିକ କାରବାର ସମୟରେ ସାଇବର ଠକେଇରୁ ସତର୍କ ରହିବା ସହିତ ନିଜର ଆର୍ଥିକ ତଥ୍ୟ ଓ ବ୍ୟାଙ୍କିଙ୍ଗ୍‌ ସୂଚନାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ପୋଷ୍ଟାଲ ଏଜେଣ୍ଟ, ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ବିଭୁତି ଭୂଷଣ ନାୟକ ସଭା ପରିଚାଳନା କରିଥିଲେ।

ଅଧିକ ପଢନ୍ତୁ