ରାୟଗଡା: ବଢ଼ିଲା ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଅଡୁଆ। ବହୁଚର୍ଚ୍ଚିତ ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ଆଜି SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ଜାମିନ ଆଦେଶକୁ ରଦ୍ଦ କରି ଅଭିଯୁକ୍ତମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଆଜି ଏହି ସମୟସୀମାର ଆଜି ଶେଷ ଦିନ ଆତ୍ମସମର୍ପଣ ହୋଇଥିବାରୁ ରାୟଗଡ଼ା SDJM କୋର୍ଟ ପରିସରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।ରାୟଗଡ଼ାର ବହୁଚର୍ଚ୍ଚିତ ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ୨୦୧୦ ଡିସେମ୍ବର ୨୩ ରେ ରାୟଗଡ଼ା ଥାନାରେ ରୁଜୁ ହୋଇଥିବା ଏହି ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆଦେଶକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଅଭିଯୋଗକାରୀ ଜଗନ୍ନାଥ ମାଣ୍ଡାଙ୍ଗୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ଆଦେଶର ଏକ ଅଂଶକୁ ରଦ୍ଦ କରିବା ସହ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ ସଞ୍ଜୀବ ସଚଦେବାଙ୍କ ଖଣ୍ଡପୀଠ। ଏହି ମାମଲାରେ ଏନ୍. ଭାସ୍କର ରାଓଙ୍କ ସମେତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ। ତେବେ ଆଇନ ଅନୁଯାୟୀ ଉପଯୁକ୍ତ ଅଦାଲତରେ ପୁନର୍ବାର ଜାମିନ ଆବେଦନ କରିବାକୁ ସେମାନେ ସ୍ୱାଧୀନ ରହିବେ।ଅନ୍ୟପଟେ ଆଜି ଆତ୍ମସମର୍ପଣ ସମ୍ଭାବନାକୁ ନେଇ ରାୟଗଡ଼ା SDJM କୋର୍ଟ ପରିସରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭାସ୍କର ରାଓଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ଆତ୍ମସମର୍ପଣକୁ ନେଇ ଏବେ ସମସ୍ତଙ୍କ ନଜର କୋର୍ଟ ଉପରେ। ଏନେଇ ଅଭିଯୁକ୍ତ ପକ୍ଷ କିମ୍ବା ଅନ୍ୟ କୌଣସି ପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ।
