ଶ୍ରୀକ୍ଷେତ୍ରରେ ନଭେମ୍ବର ୨୧ରୁ ପଞ୍ଚୁକ ବ୍ରତ

ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପବିତ୍ର କାର୍ତ୍ତିକ ମାସର ଅନ୍ତିମ ପଞ୍ଚୁକ ବ୍ରତ।ବ୍ରତପାଳନ ସାଙ୍ଗକୁ ଶ୍ରୀମନ୍ଦିରରେ ଠାକୁରଙ୍କ ଦୁର୍ଲଭ ବେଶ ଦର୍ଶନ କରିବେ ବ୍ରତଧାରୀ । ଏଣୁ ଏବେଠୁ ବଡ଼ଦାଣ୍ଡରେ ଆରମ୍ଭ ହେଲାଣି ବ୍ୟାରିକେଡ୍‌ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରୁ ଲୁହା ବ୍ୟାରିକେଡ୍‌ ମରିଚିକୋଟ ଛକ ଆଡ଼କୁ ଲମ୍ବୁଛି ।ପଞ୍ଚୁକ ସମୟରେ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା ରହିଥିବାରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଏବେଠାରୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଗଲାଣି ବ୍ୟାରିକେଡ୍ ନିର୍ମାଣ। ଭିଡ଼ ନିୟନ୍ତ୍ରଣ ସହ ଭକ୍ତମାନେ ଯେପରି ସୁରୁଖୁରୁରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଉଛି। ମିଳିଥିବା ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ।ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ୨୧ ତାରିଖରେ ଶ୍ରୀମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ପବିତ୍ର ହରିଉତ୍ଥାପନ ଏକାଦଶୀ ନୀତି।ସାଧାରଣତଃ ପଞ୍ଚୁକ ୫ଦିନରେ ଦାରୁଦେବତାଙ୍କର ୫ଟି ବେଶ ହୋଇଥାଏ । ଚଳିତ ବର୍ଷ ଦ୍ୱାଦଶୀ କ୍ଷୟ ଯାଇଥିବାରୁ ଠାକୁରଙ୍କ ବାଙ୍କଚୁଡ଼ ବେଶ କିମ୍ବା ବାବନ ବେଶ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବ ସୂଚନା ଦିଆଯାଇଛି । ୨୨ ତାରିଖ ରବିବାର ମହାପ୍ରଭୁଙ୍କ ଡାଳିକିଆ ବେଶ ତଥା ତ୍ରିବିକ୍ରମ ବେଶ ଓ ୨୩ ତାରିଖ ସୋମବାର ଲକ୍ଷ୍ମୀନୃସିଂହ ବେଶ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

ଅଧିକ ପଢନ୍ତୁ