ରାସ୍ତା ନାହିଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ; ରାସ୍ତା ନିର୍ମାଣ କର ନଚେତ୍ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅ।

ରାୟଗଡ଼ା:ସ୍ୱାଧୀନତାର ୭୯ ବର୍ଷ ପରେ ବି ମିଳିନି ମୌଳିକ ସୁବିଧା। ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ଗାଁକୁ ନାହିଁ ପକ୍କା ରାସ୍ତା। ନାଗାବଳୀ ନଦୀ ଉପରେ ପୋଲ ନଥିବାରୁ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ନଦୀ ପାର୍ କରୁଛନ୍ତି ଗ୍ରାମବାସୀ। ଦୀର୍ଘ ବର୍ଷର ଦାବି ପରେ ବି ସମସ୍ୟାର ସମାଧାନ ନହେବାରୁ ଏବେ ତୀବ୍ର ଅସନ୍ତୋଷ। ରାସ୍ତା ନିର୍ମାଣ ନକଲେ ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଅନୁମତି ମାଗିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ରାୟଗଡ଼ା ବ୍ଲକ ବାଇସିଙ୍ଗି ପଞ୍ଚାୟତର ପୂଜାରୀ ବୋମ୍ବୁ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ। ରାୟଗଡ଼ା ସଦର ବ୍ଲକ ବାଇସିଙ୍ଗି ପଞ୍ଚାୟତର ପୂଜାରୀ ବୋମ୍ବୁ ଗାଁ। ଏଠାରେ ବସବାସ କରୁଛନ୍ତି ପ୍ରାୟ ୭୦ଟି ପରିବାର। ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିଲେ ମଧ୍ୟ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ପହଞ୍ଚିପାରିନି ପକ୍କା ରାସ୍ତା। ନାଗାବଳୀ ନଦୀ ଉପରେ ମଧ୍ୟ ନାହିଁ ସ୍ଥାୟୀ ପୋଲ। ଫଳରେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ମିଳିପାରୁନାହିଁ। ବାଧ୍ୟ ହୋଇ ଗ୍ରାମବାସୀ ଖଟିଆରେ ରୋଗୀଙ୍କୁ ବୋହି ନଦୀ ପାର୍ କରାଉଛନ୍ତି। ଗର୍ଭବତୀ ମହିଳା, ରୋଗୀ ଓ ଛାତ୍ରଛାତ୍ରୀଙ୍କ ଯାତାୟାତ ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାସ୍ତା ଓ ପୋଲ ନିର୍ମାଣ ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲା ପ୍ରଶାସନ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରି ଜଣାଇଛନ୍ତି। କିନ୍ତୁ ପ୍ରତିଶ୍ରୁତି ଓ ଆଶ୍ୱାସନା ବ୍ୟତୀତ ଏଯାଏଁ କିଛି ମିଳିନାହିଁ। ଏହାକୁ ନେଇ ଗ୍ରାମବାସୀ ସାମ୍ବାଦିକ ସମ୍ମିଳନୀ କରି ଶେଷ ଗଣତାନ୍ତ୍ରିକ ଚେତାବନୀ ଦେଇଛନ୍ତି। ୧୭ ନଭେମ୍ବର ୨୦୨୬ ସୁଦ୍ଧା ଗାଁକୁ ପକ୍କା ରାସ୍ତା ନିର୍ମାଣ ପାଇଁ ଲିଖିତ ନିଷ୍ପତ୍ତି ଓ କାର୍ଯ୍ୟଯୋଜନା ଦେବାକୁ ଦାବି କରିଛନ୍ତି। ନଚେତ୍ ୧୮ ନଭେମ୍ବର ୨୦୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ କରିବା ସହ ରାଷ୍ଟ୍ରପତିଙ୍କ ନିକଟରେ ସାମୂହିକ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିବେ ବୋଲି ଚେତାବନୀ ଦେଇଛନ୍ତି।

ଅଧିକ ପଢନ୍ତୁ