ପିଏମ୍ ଶ୍ରୀ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ନୟାଗଡ଼, (ଓଡ଼ିଶା ଦର୍ପଣ): ପିଏମ୍ ଶ୍ରୀ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ  ଉମାକାନ୍ତ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରି ନିଜର ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଓ ପ୍ରତିଭାର ପରିଚୟ ଦେଇଥିଲେ।

ପ୍ରଦର୍ଶନୀରେ ବିଚାରକ ଭାବେ ଅଙ୍କୁଲାଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦ୍ୟୁମ୍ନ ନନ୍ଦ ଏବଂ ସର୍ଦ୍ଦାର ପଟେଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଘନଶ୍ୟାମ ରାଉତ ଯୋଗଦେଇ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ।

ବିଚାରକମାନଙ୍କ ମୂଲ୍ୟାଙ୍କନ ଆଧାରରେ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନେ ହେଲେ, ବରିଷ୍ଠ ବର୍ଗରେ ନବମ ଶ୍ରେଣୀର ସୂର୍ଯ୍ୟଜ୍ୟୋତି ବେହେରା ପ୍ରଥମ, ଅଷ୍ଟମ ଶ୍ରେଣୀର ଲକ୍ଷ୍ମୀଧର ସାହୁ ଦ୍ୱିତୀୟ ଏବଂ ଆଦିତ୍ୟ କୁମାର କର ତୃତୀୟ ସ୍ଥାନ ଅଧିକାର କରିଥିଲେ। କନିଷ୍ଠ ବର୍ଗରେ ସପ୍ତମ ଶ୍ରେଣୀର ଖୁସି ସାହୁ ପ୍ରଥମ, ସ୍ୱାହାନ ବେହେରା ଦ୍ୱିତୀୟ ଏବଂ ଶୁଭଙ୍କର ବାରିକ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ଉପକନିଷ୍ଠ ବର୍ଗରେ ସୁନନ୍ଦା ସାହୁ ପ୍ରଥମ, ମନୋରଞ୍ଜନ ସାହୁ ଦ୍ୱିତୀୟ ଏବଂ ଶୁଭସ୍ମିତା ମୁଦୁଲି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ  ଶ୍ରଦ୍ଧାଞ୍ଜଳି ରଥଙ୍କ ସମେତ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ମହାରଣା ଓ ନିଳିମା ପ୍ରଧାନ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା କରିଥିଲେ। ମାର୍ଗଦର୍ଶକ ଭାବେ ଶିକ୍ଷକ ମାନସ ରଞ୍ଜନ ଷଡ଼ଙ୍ଗୀ ଓ ଶେଖ୍ ଅଜିଜୁର ରହମାନ ସହଯୋଗ କରିଥିଲେ। ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ନୂତନ ଉଦ୍ଭାବନର ଆଗ୍ରହ ଓ ଅନୁସନ୍ଧିତ୍ସା ମନୋଭାବ ସୃଷ୍ଟି କରିବା ସହ ସେମାନଙ୍କ ପ୍ରତିଭା ବିକାଶର ଏକ ଉତ୍କୃଷ୍ଟ ମଞ୍ଚ ପାଲଟିଥିଲା। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା।

ଅଧିକ ପଢନ୍ତୁ