ଆଉଟ୍ଲୁକ୍ ଓ ଟିମ୍ସ ସମେତ ମାଇକ୍ରୋସଫ୍ଟର କାର୍ଯ୍ୟସ୍ଥଳ ସେବାରେ ବ୍ୟାଘାତ ଯୋଗୁ ଭାରତରେ ୟୁଜରମାନଙ୍କ ସମେତ ବିଶ୍ୱବ୍ୟାପୀ ବହୁ କମ୍ପାନୀ ଓ ସରକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ ବ୍ୟାହତ ହୋଇଛି।ଦୀର୍ଘ ୩୬ ଘଣ୍ଟାର ବିଭ୍ରାଟ ପରେ ଶେଷରେ ସ୍ୱାଭାବିକ ହୋଇଛି ମାଇକ୍ରୋସଫ୍ଟର ବିଭିନ୍ନ ଅନଲାଇନ୍ ସେବା। ବିଶ୍ୱବ୍ୟାପୀ ଦେଖାଦେଇଥିବା ବଡ଼ ଧରଣର ବୈଷୟିକ ସମସ୍ୟାକୁ କମ୍ପାନୀ ସମାଧାନ କରିଥିବା ଘୋଷଣା କରିଛି। ଫଳରେ Outlook, Microsoft Teams, Copilot ସମେତ ମାଇକ୍ରୋସଫ୍ଟର ଅନେକ ଗୁରୁତ୍ୱପୂର୍ଣ୍ଣ ସେବା ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। ଏହାଦ୍ୱାରା ବିଭିନ୍ନ ଦେଶର ଲକ୍ଷ ଲକ୍ଷ ବ୍ୟବହାରକାରୀ, ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ସଂସ୍ଥାକୁ ବଡ଼ ଆଶ୍ୱସ୍ତି ମିଳିଛି। ମାଇକ୍ରୋସଫ୍ଟର ଏହି ବିଭ୍ରାଟ କେବଳ ଗୋଟିଏ ଦେଶ ମଧ୍ୟରେ ସୀମିତ ନଥିଲା। ବିଶ୍ୱର ୭୦ରୁ ଅଧିକ ଦେଶ ଓ ଅଞ୍ଚଳରେ ବ୍ୟବହାରକାରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବିଭିନ୍ନ ସରକାରୀ ବିଭାଗ, ବିମାନ ସେବା, ବ୍ୟାଙ୍କ, ହସ୍ପିଟାଲ ଓ ବଡ଼ ବ୍ୟବସାୟିକ ସଂସ୍ଥାର କାର୍ଯ୍ୟ ପ୍ରଭାବିତ ହୋଇଥିଲା।
କେତେକ ସ୍ଥାନରେ ଜରୁରୀ ଯୋଗାଯୋଗ ପାଇଁ ବିକଳ୍ପ ବ୍ୟବସ୍ଥାର ସାହାଯ୍ୟ ନେବାକୁ ପଡ଼ିଥିଲା। ଅନଲାଇନ୍ ବ୍ୟବସ୍ଥା ଉପରେ ଅତ୍ୟଧିକ ନିର୍ଭରଶୀଳତା ଯୋଗୁଁ ଗୋଟିଏ ବଡ଼ ବୈଷୟିକ ବିଭ୍ରାଟ କିପରି ବିଶ୍ୱବ୍ୟାପୀ କାର୍ଯ୍ୟକଳାପକୁ ପ୍ରଭାବିତ କରିପାରେ, ଏହି ଘଟଣା ତାହାର ଉଦାହରଣ ପାଲଟିଛି।ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି ଯେ ନେଟୱର୍କ କ୍ଷମତା ବୃଦ୍ଧି ପାଇଁ ପୂର୍ବରୁ କରାଯାଇଥିବା ଏକ ଅପଗ୍ରେଡ୍ରେ ବୈଷୟିକ ତ୍ରୁଟି ରହିଥିଲା। ପରବର୍ତ୍ତୀ ସମୟରେ ନେଟୱର୍କରେ ପରିବର୍ତ୍ତନ କରାଯିବା ପରେ ଏହି ସମସ୍ୟା ସାମ୍ନାକୁ ଆସିଥିଲା।
କମ୍ପାନୀ ସ୍ପଷ୍ଟ କରିଛି ଯେ ଏହି ବିଭ୍ରାଟ ପଛରେ କୌଣସି ସାଇବର ଆକ୍ରମଣ କିମ୍ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏଜେଣ୍ଟର ଭୂମିକା ନଥିଲା। ସମସ୍ୟାର ସମାଧାନ ପାଇଁ ଇଞ୍ଜିନିୟରମାନେ ପର୍ଯ୍ୟାୟକ୍ରମେ ସର୍ଭର ଓ ନେଟୱର୍କ ସେବାକୁ ପୁନଃ କାର୍ଯ୍ୟକ୍ଷମ କରିଥିଲେ।
