ବଡ଼ମୂଳରେ ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ: ପ୍ରମୋଦ ପଟ୍ଟନାୟକ ପୁନର୍ବାର ସଭାପତି

ନୟାଗଡ଼,(ଓଡ଼ିଶା ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ବଡ଼ମୂଳ ଡାକ ବଙ୍ଗଳା ପରିସରରେ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ସମାବେଶ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କ ସମସ୍ୟା ସମାଧାନ ଦିଗରେ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ ଓ ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ପ୍ରମୋଦ ପଟ୍ଟନାୟକ ପୁନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।
ବୈଠକରେ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ବୃତ୍ତଙ୍ଗ ଜଳସେଚନ ତଥା ମହାନଦୀ ଉପରେ ଡ଼ିମିରିଆ-ରାଉତପଡା ବ୍ୟାରେଜ ଯୋଜନାର ଶୁଭାରମ୍ଭ ଏବଂ ସାମ୍ବାଦିକଙ୍କ ବିଭିନ୍ନ ପ୍ରସଙ୍ଗ ସହିତ ପେନସନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ଗୁରୁତର ଅସୁସ୍ଥ ସାମ୍ବାଦିକଙ୍କୁ ସଂଘ ପକ୍ଷରୁ ୪ ହଜାର ଟଙ୍କାର ଆର୍ଥିକ ସହାୟତା ତଥା କୌଣସି ସାମ୍ବାଦିକଙ୍କ ଦେହାନ୍ତ ପରେ ଅନ୍ତେଷ୍ଟିକ୍ରିୟା ପାଇଁ ୩ ହଜାର ଟଙ୍କା ପ୍ରଦାନ କରାଯାଉଛି ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଥିଲା ।

ଅନ୍ୟପକ୍ଷରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିକଟରେ ଡକ୍ଟରେଟ ଉପାଧି ପାଇଥିବା ଡ. ହରିଶ ପ୍ରଧାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇ ଥିଲା।ସଭା ପୂର୍ବରୁ ସାମ୍ବାଦିକ ମାନେ  ମହାନଦୀରେ ବୋଟ୍‌ ପରିଭ୍ରମଣର ମଜା ନେଇଥିଲେ। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜିଲ୍ଲାର ୮ଟି ବ୍ଲକରୁ ଶତାଧିକ ସାମ୍ବାଦିକ ସାମିଲ ହୋଇଥିବା ବେଳେ ଗଣିଆ ବ୍ଲକର ସାମ୍ବାଦିକ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ