ବିଲକିସ୍ ବାନୋ ମାମଲାରେ ନୂଆ ମୋଡ଼: ୧୭ ବର୍ଷ ପରେ ୨ ଜଣଙ୍କୁ ମିଳିଲା ଜାମିନ୍

ଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।ଦୀର୍ଘ ୧୭ ବର୍ଷରୁ ଅଧିକ ସମୟ ଜେଲ୍‌ରେ କାଟିବା ପରେ କୋର୍ଟ ସେମାନଙ୍କ ଆଜୀବନ ଜେଲ୍‌ଦଣ୍ଡକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଓ ଜଷ୍ଟିସ୍ ପ୍ରସନ୍ନା ବି. ବରାଲେଙ୍କ ଖଣ୍ଡପୀଠ ଗତ ଅକ୍ଟୋବର ୨୮ ତାରିଖରେ ଏହି ଆଦେଶ ଦେଇଥିଲେ। ଦୁଇ ଦୋଷୀଙ୍କ ଜାମିନ୍ ଆବେଦନର ଶୁଣାଣି କରି କୋର୍ଟ କହିଥିଲେ ଯେ, ସେମାନେ ୧୭ ବର୍ଷରୁ ଅଧିକ ସମୟ ଜେଲ୍‌ରେ ରହିସାରିଛନ୍ତି। ସେହିପରି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଦିବ୍ୟାଙ୍ଗ ଅଛନ୍ତି। ଏହା ସହିତ ମାମଲାର ଅପିଲ୍‌ରେ କିଛି ଆଇନଗତ ଓ ତଥ୍ୟଗତ ଦିଗ ରହିଛି, ଯାହାର ବିଚାର ହେବା ଆବଶ୍ୟକ। ତେଣୁ ଅପିଲ୍‌ର ଚୂଡ଼ାନ୍ତ ଶୁଣାଣି ହେବା ପର୍ଯ୍ୟନ୍ତ ସେମାନଙ୍କୁ ଜାମିନ୍ ଦେବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି।ଦୁଇ ଦୋଷୀ ବମ୍ବେ ହାଇକୋର୍ଟଙ୍କ ୨୦୧୭ ମସିହାର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅପିଲ୍ କରିଥିଲେ। ସେହି ରାୟରେ ଉଭୟଙ୍କ ଦୋଷୀ ସାବ୍ୟସ୍ତ ହେବା ଓ ଆଜୀବନ କାରାଦଣ୍ଡକୁ କାଏମ ରଖାଯାଇଥିଲା।ଦୋଷୀଙ୍କ ପକ୍ଷରୁ ଓକିଲ ସିଦ୍ଧାର୍ଥ ଲୁଥ୍ରା କହିଥିଲେ ଯେ, ଉଭୟ ୧୭ ବର୍ଷରୁ ଅଧିକ ସମୟ ଜେଲ୍‌ରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ନାମ ପ୍ରଥମେ ଏଫ୍‌ଆଇଆର୍‌ରେ ମଧ୍ୟ ନଥିଲା। ଘଟଣାର ପ୍ରାୟ ତିନି ବର୍ଷ ପରେ ତାଙ୍କୁ ଏହି ମାମଲାରେ ଅଭିଯୁକ୍ତ କରାଯାଇଥିଲା।ସୁପ୍ରିମକୋର୍ଟରୁ ଜାମିନ ପାଇଥିବା ଉଭୟ ଦୋଷୀ ସେହି ୧୧ ଜଣ ଦୋଷୀଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯେଉଁମାନଙ୍କୁ ଗୁଜରାଟ ସରକାର ଅଗଷ୍ଟ ୨୦୨୨ରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମୁକ୍ତ କରିଥିଲେ । କିନ୍ତୁ ଜାନୁଆରୀ ୨୦୨୪ରେ ସୁପ୍ରିମକୋର୍ଟ ଏହି ୧୧ ଜଣଙ୍କ ସମୟପୂର୍ବରୁ ମୁକ୍ତି ଆଦେଶକୁ ରଦ୍ଦ କରିଦେଇଥିଲେ ।ଏହାପରେ ସମସ୍ତ ଦୋଷୀଙ୍କୁ ପୁଣିଥରେ ଜେଲ୍କୁ ଫେରିବାକୁ ପଡ଼ିଥିଲା ।ତେବେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଦୁଇ ଦୋଷୀଙ୍କ ଆଜୀବନ ଜେଲ୍‌ଦଣ୍ଡକୁ ସ୍ଥଗିତ ରଖି ଜାମିନ୍ ମଞ୍ଜୁର କରିଛନ୍ତି। ସେମାନଙ୍କ ପାଇଁ କେଉଁ ସର୍ତ୍ତରେ ଜାମିନ୍ ମିଳିବ, ତାହା ସମ୍ପୃକ୍ତ ଟ୍ରାଏଲ୍ କୋର୍ଟ ସ୍ଥିର କରିବେ। ତେବେ ମାମଲାର ଶେଷ ରାୟ ଏପର୍ଯ୍ୟନ୍ତ ଆସିନାହିଁ। ଅର୍ଥାତ୍ ଏହି ଜାମିନ୍‌କୁ ଦୋଷମୁକ୍ତ ଭାବେ ବିଚାର କରାଯାଇପାରିବ ନାହିଁ। ସୂଚନା ଯୋଗ୍ୟ ଯେ ୨୦୦୨ ମସିହାରେ ଗୁଜରାଟରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ସମୟରେ ବିଲକିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା। ଏହା ସହ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୧୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡ ଦିଆଯାଇଥିଲା।

ଅଧିକ ପଢନ୍ତୁ