ଚଳିତ ବର୍ଷ ଐତିହାସିକ ବାଲିଯାତ୍ରାରେ ଦର୍ଶକଙ୍କ ପାଇଁ ରହିବ ଏକ ସ୍ୱତନ୍ତ୍ର ଆକର୍ଷଣ । ବାଲିଯାତ୍ରାରେ ପ୍ରଦର୍ଶିତ ହେବ କଟକ ମହାନଗର ନିଗମ (KMC)ର ଗୌରବମୟ ୧୫୦ ବର୍ଷର ଇତିହାସ ଓ ଐତିହ୍ୟ ।କଟକ ମହାନଗର ନିଗମର ବିଭିନ୍ନ କାର୍ଯ୍ୟଧାରା, ସହରର ପ୍ରମୁଖ ଐତିହ୍ୟସ୍ଥଳୀ, ଐତିହାସିକ କୀର୍ତ୍ତିରାଜି ଏବଂ କଟକର ସମୃଦ୍ଧ ପରମ୍ପରାକୁ ଏହି ପାଭିଲିୟନ୍ରେ ସ୍ଥାନିତ କରାଯିବ । ଯାହା ମାଧ୍ୟମରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକ କଟକ ସହରର ଅତୀତ, ବର୍ତ୍ତମାନ ଓ ବିକାଶର ଯାତ୍ରା ସମ୍ପର୍କରେ ଅନେକ କିଛି ଜାଣିବାର ସୁଯୋଗ ପାଇବେ । ଏନେଇ କଟକ ମହାନଗର ନିଗମର ମେୟର, କମିଶନରଙ୍କ ସମେତ ନିଗମର ବିଭିନ୍ନ ପଦାଧିକାରୀ କଟକ-ଇନ୍-କଟକ ପାଭିଲିୟନ୍ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ପାଭିଲିୟନ୍ରେ ହେବାକୁ ଥିବା ବିଭିନ୍ନ ପ୍ରଦର୍ଶନୀ ଓ ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଛି । କଟକର ଗୌରବମୟ ଇତିହାସକୁ ନୂଆ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ସହ ସହରର ଐତିହ୍ୟ ଓ ବିକାଶକୁ ଗୋଟିଏ ମଞ୍ଚରେ ପ୍ରଦର୍ଶିତ କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ।ସେହିପରି ଆକାଶବାଣୀ କଟକ ଏବଂ ଓଡ଼ିଶାର ପ୍ରଥମ ଖବରକାଗଜ ‘ଉତ୍କଳ ଦୀପିକା’ର ସ୍ୱତନ୍ତ୍ର କଳାକୃତି ମଧ୍ୟ ସ୍ଥାନ ପାଇବ ।କଟକ-ଇନ୍-କଟକ ପରିସରରେ ମହାନଗର ନିଗମର ୧୫୦ ବର୍ଷର ଐତିହାସିକ ଯାତ୍ରାକୁ ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ପ୍ରଦର୍ଶିତ କରାଯିବ । AR-VR ପାଭିଲିୟନ୍ରେ ଦର୍ଶକମାନେ ଏହି ଗୌରବମୟ ଯାତ୍ରାର ଅନୁଭୂତି ନେଇପାରିବେ । ଏକ ସ୍ୱତନ୍ତ୍ର ଟନେଲ୍ ମାଧ୍ୟମରେ ‘Cuttack’ରୁ ‘Kataka’ ପର୍ଯ୍ୟନ୍ତ ପରିବର୍ତ୍ତନର କାହାଣୀ ପ୍ରଦର୍ଶିତ ହେବ ।
