ମାଡ଼ି ଆସିଲାଣି ଅକଭାନ୍ : ସକାଳୁ ସକାଳୁ ବର୍ଷା ଆରମ୍ଭ 

ଆନ୍ଧ୍ରପ୍ରଦେଶର ବିଶାଖପାଟଣା ପାଖ ନୁହେଁ, ସିଧା ଓଡ଼ିଶାରେ ମାଡ଼ ହେବ। ଆନ୍ଧ୍ରର ନରସାପୁର ଓ ପୁରୀ ଭିତରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ଅକଭାନ୍’।ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲା ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଗୋଟିଏ ଦୁଇଟି ସ୍ଥାନରେ ଅତି ଭୀଷଣ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ପାଇଁ ମଧ୍ୟ ୬ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୧ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।ବାତ୍ୟାର ଗତିପଥକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ନିର୍ଦ୍ଦିଷ୍ଟ ଭାବେ କେଉଁଠି ମାଡ଼ ହେବ, ତାହା ଏବେ ବି ଅସ୍ପଷ୍ଟ । କିନ୍ତୁ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସ୍ପଷ୍ଟ କରିଛି ।୨୦ରେ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ୬୦ରୁ ୭୦ କିମି ପବନ ବହିବା ସହ ପବନର ଝଟକା ୮୦ କିମି ଛୁଇଁପାରେ ବୋଲି ଆଇଏମଡି ପକ୍ଷରୁ ସତର୍କ କରାଯାଇଛି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ଅଧିକ ପଢନ୍ତୁ