ଗଞ୍ଜାମ ଗସ୍ତ ସମୟରେ ଚାଷ ଜମି ବୁଲିଲେ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ

ପ୍ରଥମେ ବାତ୍ୟା ଅର୍ଣ୍ଣବ ତାପରେ ଅକ୍ୱାନ । ଅର୍ଣ୍ଣବର ତାଣ୍ଡବରେ ଗଂଜାମ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ହୋଇଥିଲା । ଏକର ଏକର ଫସଲ ଉଜୁଡି ଯାଇଥିଲା । ବାତ୍ୟା ତାପରେ ବନ୍ୟା ଯୋଗୁ ଚାଷ କ୍ଷେତରେ ପାଣି ଜମି ପଚି ଯାଇଥିଲା ଚାଷୀର ବର୍ଷ ବର୍ଷର ପରିଶ୍ରମ । ତାପରେ ପୁଣି ଏକ ବାତ୍ୟା ଅକ୍ୱାନକୁ ନେଇ ଭୟଭୀତ ଥିଲେ ଚାଷୀକୂଳ । ଅକ୍ୱାନର ପ୍ରଭାବ ଏତେ ନଥିଲେ ବି ଲଗାଣ ବର୍ଷା ଓ ପ୍ରବଳ ପବନ ଫଳରେ ଚାଷ ବିଲରେ ଧାନକେଣ୍ଡା ସବୁ ଶୋଇଯାଇଛି । ତେବେ କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ଆଜି ଜିଲା ଗସ୍ତରେ ଆସି ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚାଷୀଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣିବା ସହ ନିଜେ ଚାଷଜମି ଭିତରକୁ ଯାଇ ବନ୍ୟାଜଳରେ ନଷ୍ଟ ହୋଇଥିବା ଫସଲର ସ୍ଥିତି ପରଖିଥିଲେ। ପ୍ରଥମେ ପୁରୁଷୋତ୍ତମପୁର ବ୍ଲକ ର ହାଣ୍ଡିଘର ଏବଂ ପରେ ଛତ୍ରପୁର ବ୍ଲକ୍‌ର ବଉଳଗାଁ ନିକଟସ୍ଥ ଚାରିଛକରେ ପହଞ୍ଚି ଧାନ କ୍ଷେତକୁ ଯାଇ ଫସଲର ସ୍ଥିତି ଦେଖିଥିଲେ। ଚାଷୀଙ୍କ ସହ ଆଲୋଚନା କରି ବନ୍ୟା ଯୋଗୁଁ ଚାଷ କ୍ଷେତ୍ରରେ ହୋଇଥିବା କ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କ୍ଷୟକ୍ଷତି ସମ୍ପର୍କିତ ପାୱାର ପଏଣ୍ଟ ଉପସ୍ଥାପନା ମଧ୍ୟ ଦେଖିଥିଲେ।ଗଂଜାମ ଜିଲ୍ଲା ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାମ ଓ କ୍ଷତିଗ୍ରସ୍ତଙ୍କ ପାଇଁ ଘୋଷିତ ପ୍ୟାକେଜ ବଂଟନ ଓ ସରକାରୀ ସହାୟତାର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଅନ୍ୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅଧିକ ପଢନ୍ତୁ