ବାୟା ବାବାଙ୍କ ଉପରେ ଏକ ବୃତ୍ତଚିତ୍ର କରିବା ନିମନ୍ତେ ୧୧ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଆଜି (ସୋମବାର) ଭୁବନେଶ୍ବର କମିସନରେଟ୍ ପୁଲିସ ଜଣାଶୁଣା ପ୍ରବଚକ ଶରଣାବିନ୍ଦ ଓଝାଙ୍କୁ ଗିରଫ କରିଛି। ବାୟାବାବାଙ୍କ ଉପରେ ଏକ ଡକ୍ୟୁମେଣ୍ଟାରି କରିବା ପାଇଁ ଡାକ୍ତରାଣୀ ସାଗରିକା ଦାଶଙ୍କ ଠାରୁ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଡାକ୍ତରାଣୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ପୋଲିସ ସର୍ଜମିନ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଠକେଇ ନେଇ ପର୍ଯ୍ୟାପ୍ତ ପ୍ରମାଣ ପରେ ଶରଣାରବିନ୍ଦଙ୍କୁ ଗିରଫ କରିଛି ପୋଲିସ।ଅଭିଯୋଗକାରିଣୀ ସାଗରିକା ଦାସ (୮୦)। ସେ ଜଣେ ଅବସରପ୍ରାପ୍ତ ଡାକ୍ତର, କିନ୍ତୁ ସମ୍ପ୍ରତି ସନ୍ୟାସ ଆଶ୍ରମ ଗ୍ରହଣ କରି ସନ୍ୟାସିନୀ ସାରିକା ଭାବେ ପରିଚିତ। ଗଣମାଧ୍ୟମକୁ ନିଜର ଅଭିଯୋଗ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବାୟା ବାବାଙ୍କ ସମ୍ପର୍କରେ ଏକ ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରି) କରିବାକୁ ଚାହିଁଥିଲେ। ଶରଣାବନ୍ଦି ଓଝାଙ୍କୁ ପୂର୍ବରୁ ଜାଣିନଥିଲେ ହେଁ କହିବା ଶୈଳୀ ଓ ଟେଲିଭିଜନ ଆଦିରେ ପ୍ରବଚନ ଦେଖି ସେ ପ୍ରଭାବିତ ହୋଇଥିଲେ। କୌଣସି ପ୍ରକାରେ ଶରଣାବିନ୍ଦଙ୍କ ସହ ତାଙ୍କର ଏହି ପ୍ରସଙ୍ଗକୁ ନେଇ ସାକ୍ଷାତ ହୋଇଥିଲା।ଆଲୋଚନା ପରେ ସେ ଏହି ପ୍ରକଳ୍ପ କରିବାକୁ ସହମତି ଦେଇଥିଲେ। ଏଥିପାଇଁ ୧୫-୧୬ଲକ୍ଷ ଟଙ୍କାର ଏକ ବଜେଟ୍ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସେ ନିଜ ବ୍ୟାଙ୍କରୁ ଶରଣାବିନ୍ଦଙ୍କୁ ୧୧ଲକ୍ଷ ଟଙ୍କା ପଠାଇଥିଲେ। ଏହାପରେ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରିବା ତ ଦୂରର କଥା ଆଉ ଧରାଛୁଆଁ ଦେଇନଥିଲେ। ଫିଲ୍ମ କାମ କେବେ ଆରମ୍ଭ ହେବ, ଟଙ୍କା କେଉଁଠି ଖର୍ଚ୍ଚ ହେଲା, ସେନେଇ ଡାକ୍ତରଙ୍କୁ ସନ୍ତୋଷଜନକ ଉତ୍ତର ମିଳିନଥିବା ଅଭିଯୋଗ ରହିଛି । ଏହାପରେ ନିଜକୁ ଠକେଇର ଶିକାର ମନେ କରି ଡାକ୍ତର କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ ।ଅଭିଯୋଗ ପାଇବା ପରେ କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ ଶରଣବିନ୍ଦୁ ଓଝାଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଜଣେ ହାସ୍ୟ ଅଭିନେତା ତଥା ଧାରାବାହିକ ଅଭିନେତା ବୋଲି ଜଣାପଡ଼ିଛି ।
