ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ନୟାଗଡ଼, (ଓଡ଼ିଶା ଦର୍ପଣ): ଭାରତୀୟ ସମ୍ବିଧାନର ମହତ୍ତ୍ବ, ମୂଲ୍ୟବୋଧ ଓ ଆଦର୍ଶ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ସମ୍ବିଧାନ ଦିବସ ପାଳନ କରାଯାଇଛି। ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ୍  ଅଜନ୍ତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବା ଅଞ୍ଜଳି ମାଛଖଣ୍ଡଙ୍କ ତତ୍ତ୍ବାବଧାନରେ ଜିଲ୍ଲା କୋର୍ଟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 
ଏହି ଅବସରରେ ଅତିରିକ୍ତ ଜିଲ୍ଲା ବିଚାରପତି ରୀଜା ରାୟ, ଜିଲ୍ଲାପାଳ ମଧୁମିତା ରଥ, ପୋଲିସ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଭବେଶ କୁମାର ନାୟକ, ସି.ଜେ.ଏମ୍. ଶ୍ରୀମୟୀ ଆଚାର୍ଯ୍ୟ, ମହିଳା ଅଦାଲତ ବିଚାରପତି  ସ୍ୱୟଂପ୍ରଭା ଆଚାର୍ଯ୍ୟ, ବରିଷ୍ଠ ବିଭାଗୀୟ ବିଚାରପତି (ଏଲ୍.ଆର୍. ଏବଂ ଏଲ୍.ଟି.ଭି.) ରବି ନାରାୟଣ ବେହେରା, ରେଜିଷ୍ଟ୍ରାର ସୋନାଲୀ ସରିତା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ୍ ଲଲିତା ପାତ୍ର, ଉପ-ପୋଲିସ ଅଧୀକ୍ଷକ ନିହାର ରଞ୍ଜନ ମହାନ୍ତି, ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଏବଂ ନୟାଗଡ଼ ଓକିଲ ସଂଘର ସମ୍ପାଦକ ସ୍ୱଦେଶ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। 
ଅତିଥିମାନେ ସମ୍ବିଧାନର ମହତ୍ତ୍ବ, ନାଗରିକମାନଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ, ଆଇନର ଶାସନ ଏବଂ ସମାଜରେ ନ୍ୟାୟ ଓ ସମାନତା ପ୍ରତିଷ୍ଠା ଦିଗରେ ସମ୍ବିଧାନର ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ବିଚାର ବିଭାଗୀୟ ଅଧିକାରୀ, ବରିଷ୍ଠ ଆଇନଜୀବୀ, କୋର୍ଟର ସମସ୍ତ କର୍ମଚାରୀ ଏବଂ ପାରା ଲିଗାଲ ସ୍ୱେଚ୍ଛାସେବୀମାନେ ସାମୂହିକ ଭାବେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ପାଠ କରିଥିଲେ। ପ୍ରସ୍ତାବନାରେ ଉଲ୍ଲେଖିତ ନ୍ୟାୟ, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱ ଭଳି ଆଦର୍ଶଗୁଡ଼ିକୁ ଅକ୍ଷୁଣ୍ଣ ରଖିବା ସହ ଦେଶର ଏକତା, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ତଥା ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। 

ଅଧିକ ପଢନ୍ତୁ