ବିଜେପିର ମିଶ୍ରଣ ପୂର୍ବ: ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜେନ୍ଦ୍ର ଓ ନରେନ

ବିଜେଡି ବିଧାୟକ ପ୍ରେମାନନ୍ଦ ନାୟକ, ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଓ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ବିଜେପି ଦଳରେ ସାମିଲ ହୋଇଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପି ଦଳୀୟ କାର୍ୟ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ପ୍ରେମାନନ୍ଦ ଅକ୍ଟୋବର ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ୨୦୦୯ ରେ ପ୍ରଥମଥର ପାଇ ତେଲକୋଇରୁ ବିଜେଡି ଟିକେଟରେ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହାପରେ ୨୦୧୯ ରେ ଦ୍ଵିତୀୟ ଥର ଭାବେ ତେଲକୋଇ ବିଧାୟକ ଭାବେ ନିର୍ବାଚିତ ହେବା ପରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ମନ୍ତ୍ରୀ ଥିଲେ। ଗୋଷ୍ଠିକନ୍ଦଳ ପାଇ ବିଜେଡି ଛାଡିଥିବା କହିଥିଲେ ପ୍ରେମାନନ୍ଦ।ସେହିପରି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗତ ଉପ ନିର୍ବାଚନରେ ବିଜେଡି ଟିକେଟ ନ ଦେବାରୁ ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ। ପରେ ବିଜେଡି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା।

ଅନ୍ୟପଟେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ୨୦୦୪ ରୁ ୨୦୦୯ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ । ୨୦୧୯ ରେ କଂଗ୍ରେସ ତାଙ୍କୁ ଟିକେଟ ନଦେବାରୁ ଅସନ୍ତୁଷ୍ଟ ଥିଲେ ନରେନ।ଏହି ଅବସରରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ, ଭାଜପା ପ୍ରାକ୍ତନ ସଭାପତି ସମୀର ମହାନ୍ତି ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ଉକ୍ତ ତିନି ନେତାଙ୍କ ବହୁ ସମର୍ଥକ ଭାଜପାରେ ସାମିଲ ହୋଇଛନ୍ତି।

ଅଧିକ ପଢନ୍ତୁ