ହୃଦଘାତରେ ଖେଳ ଶିକ୍ଷକଙ୍କ ପରଲୋକ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଅଶ୍ୱସ୍ଥପଡ଼ା ଦୁର୍ଗା ଚରଣ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଅଲେଖ ଖଟେଇଙ୍କ ହୃଦଘାତରେ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।  ଆଜି ଶନିବାର ଥିବାରୁ ସେ ସକାଳୁ ବିଦ୍ୟାଳୟକୁ ଆସିଥିଲେ। ତେବେ ବିଦ୍ୟାଳୟ ଛୁଟି ସମୟରେ ନିଜକୁ ଅସ୍ଵାଭାବିକ ଅନୁଭବ କରିବାରୁ ବିଦ୍ୟାଳୟର ୨ ଜଣ ଶିକ୍ଷକ ତାଙ୍କୁ ତାଙ୍କ ନିଜ ଗ୍ରାମ ସୋଲାପଟାରେ ନେଇ ଛାଡି ଦେଇ ଆସିଥିଲେ। ଘରେ ପହଞ୍ଚିବାର କିଛି ସମୟ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଆଜି ଅପରାହ୍ଣରେ ନିଜ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଏକ ମାତ୍ର ପୁତ୍ର ମୁଖାଗ୍ନି ଦେଇଥିଲେ। ଶ୍ମଶାନରେ ଆତ୍ମୀୟ ସ୍ଵଜନଙ୍କ ସମେତ ବିଦ୍ୟାଳୟର ସହକର୍ମୀ, ଗ୍ରାମବାସୀ ଏବଂ ଶୁଭେଚ୍ଛୁ ମାନେ ଉପସ୍ଥିତ ଥିଲେ। ତାଙ୍କର ଏହି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ଅଧିକ ପଢନ୍ତୁ