ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା।ପ୍ରେମିକର ପ୍ରେମ ଆଗରେ ଫିକା ପଡ଼ିଗଲା ମାଆର ମମତା । ଦିନେ ରାସ୍ତାକଡ଼ରେ କାନ୍ଦୁଥିବା କୁନି ଝିଅକୁ ଉଠାଇ ଆଣି ପାଳିପୋଷି ବଡ଼ କରିଥିଲେ ରାଜଲକ୍ଷ୍ମୀ କର । କିନ୍ତୁ ସେହି ମାଆକୁ ହତ୍ୟା କରିବାକୁ ପଛାଇଲାନି ଅଷ୍ଟମ ଶ୍ରେଣୀରେ ପଢୁଥିବା ପାଳିତ ଝିଅ । ଏପ୍ରିଲ ୨୯ ତାରିଖରେ ମାଆର ଖାଦ୍ୟରେ ନିଶା ବଟିକା ଦେଇଥିଲା ନାବାଳିକା ଝିଅ । ଆଉ ମାଆ ଜଣକ ଅଚେତ ହେବା ପରେ ପ୍ରେମିକ ଓ ତାର ସହଯୋଗୀ ସହ ମିଶି ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡ଼ିଛି । ହତ୍ୟାକାଣ୍ଡ ପରେ ଏହାକୁ ହୃଦଘାତ ବୋଲି କହିବା ସହ ଭୁବନେଶ୍ବର ନେଇ ଅନ୍ତିମ ସଂସ୍କାର ମଧ୍ୟ କରିଥିଲା ନାବାଳିକା ।କିନ୍ତୁ ନାବାଳିକା ଓ ତାର ପ୍ରେମିକର କଥାବାର୍ତ୍ତାରୁ ପରିବାର ଲୋକଙ୍କ ସନ୍ଦେହ ହେବା ପରେ ତଦନ୍ତ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ । ପରେ ନାବାଳିକାଙ୍କ ଇନଷ୍ଟାଗ୍ରାମ ଚାଟ୍ରୁ ସାମ୍ନାକୁ ଆସିଥିଲା ପ୍ରକୃତ ସତ । ପୁଲିସ ଅଭିଯୁକ୍ତ ନାବାଳିକା ଓ ତାର ପ୍ରେମିକକୁ ଗିରଫ କରିବା ସହ ହତ୍ୟାକାଣ୍ଡ ଘଟାଇଥିବା ଘରକୁ ନେଇ ସିନ୍ ରିକ୍ରିଏସନ୍ କରିଛି ।
