FM କଲେଜ ଛାତ୍ରୀ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାକୁ ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ। ଏହି ଘଟଣା ଅପ୍ରତ୍ୟାଶିତ ଭାବେ ଘଟିଲା ନା ଯୋଜନାବଦ୍ଧ ଭାବେ କରାଗଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ଏହି ଘଟଣା ପଛରେ କାହାର ନା କାହାର ହାତ ରହିଥିବା ସନ୍ଦେହ କରାଯାଉଛି। କଲେଜ ପରିସରରେ ଛାତ୍ରୀ ଜଳିଯିବା ପଛରେ କିଏ? ତାହା ଏବେ ବି ରହସ୍ୟ ହୋଇ ରହିଛି। ତେବେ ମଙ୍ଗଳବାର ଲୋକ ସେବା ଭବନରେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସରିବା ପରେ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇ କହିଥିଲେ, ଏଥିରେ କେବଳ କଲେଜ ପ୍ରିନ୍ସପାଲ ଏବଂ HOD ସମୀର ସାହୁ ଏଥିରେ ଦୋଷୀ ନୁହଁନ୍ତି। ଏଥିରେ ଗୁଡିଏ ଦୋଷୀ ଅଛନ୍ତି। ମୃତକ ସୌମ୍ୟାଶ୍ରୀଙ୍କୁ ଅନେକ ଜଣ ନିର୍ଯାତନା, ଅପମାନିତ କରିଛନ୍ତି। ନ୍ୟାୟ ଦେବା ପାଇଁ ସବୁ ପଦକ୍ଷେପ ନେବାକୁ ମୋହନ ସରକାର ପ୍ରସ୍ତୁତି ଥିବା ମନ୍ତ୍ରୀ କହିଛନ୍ତି। ସରକାର ସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରୁଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।
ସମୟ ଦିଅନ୍ତୁ ଆହୁରି ତଥ୍ୟ ମିଳିବ । ଛାତ୍ରୀଙ୍କ ମୃତ୍ୟୁ ପରେ ଦଫା ପରିବର୍ତ୍ତନ କରାଯାଇଛି ।ଯେଉଁମାନେ ସୌମ୍ୟାଶ୍ରୀଙ୍କୁ ଭଲଭାବେ ଜାଣନ୍ତି ସେମାନଙ୍କ କହିବା କଥା, ସୌମ୍ୟାଶ୍ରୀଙ୍କୁ ଜଣେ ସାଧାରଣ ଛାତ୍ରୀ ଭାବେ ଆଦୌ ଗ୍ରହଣ କରାଯାଇ ପାରିବ ନାହିଁ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ଜଣେ ଛାତ୍ରୀନେତ୍ରୀ ଥିଲେ। ସରକାରଙ୍କ ସ୍ବୀକୃତିପ୍ରାପ୍ତ ଆତ୍ମରକ୍ଷା ତାଲିମ ପ୍ରଶିକ୍ଷକ ମଧ୍ୟ ଥିଲେ। ଫଳରେ, ତାଙ୍କ ସହିତ ଘଟିଥିବା ନିର୍ଯାତନା ନେଇ ସେ ଦୃଢ଼ ମନୋବଳ ସହିତ ପ୍ରତିବାଦ କରି ଆସୁଥିବା ବେଳେ ନିଆଁ ଲଗାଇ ନିଜକୁ ଶେଷ କରିଦେବା ଭଳି ନିଷ୍ପତ୍ତି ନେବା ଆଦୌ ବିଶ୍ବାସଯୋଗ୍ୟ ନୁହେଁ।ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି; ପୀଡ଼ିତା ଯେଉଁ ସ୍ଥାନରେ ଆତ୍ମାହୁତି ଦେଇଛନ୍ତି, ସେହି ସ୍ଥାନ ସିସି କ୍ୟାମେରା ଅଧୀନରେ ନଥିବା ତଦନ୍ତ ବେଳେ ଜଣାପଡ଼ିଛି। ଏହି ଦୃଷ୍ଟିରୁ ପୀଡ଼ିତାଙ୍କ ଆତ୍ମାହୁତିକୁ ସୁଚିନ୍ତିତ ଭାବେ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି। ମୁଖ୍ୟ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ନିର୍ଯାତନା ଘଟଣାଠାରୁ ଆରମ୍ଭ କରି ଘଟଣା ଦିନ ପୀଡ଼ିତା ଓ ଅଧ୍ୟକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ପର୍ଯ୍ୟନ୍ତ, ସବୁଥିରେ ତାଙ୍କ ସମର୍ଥକ ସମ୍ପୃକ୍ତ ହେଉଥିଲେ। ଏ ସମ୍ପର୍କରେ ମଧ୍ୟ ମତ ଦେଇ ଆସୁଥିଲେ। ତେବେ, ନିଆଁ ଲଗାଇବା କଥା ପଚାରିଲେ କିଛି ଜାଣିନଥିବା ଭଳି ଏକପ୍ରକାର ଚୁପ୍ ରହୁଛନ୍ତି। ଏପରିକି ତଦନ୍ତ ବେଳେ ଜୈନିକ ବରିଷ୍ଠ ପୁଲିସ ଅଧିକାରୀଙ୍କ ଆଗରେ ମଧ୍ୟ ସୌମ୍ୟାଶ୍ରୀଙ୍କ ସମର୍ଥକ ସମାନ ମନ୍ତବ୍ୟ ଦେଉଥିବା ବିଶ୍ବସ୍ତସୂତ୍ରରୁ ଖବର ମିଳିଛି। ଯାହା ପୀଡ଼ିତାଙ୍କ ଆତ୍ମାହୁତି ଘଟଣାକୁ ରହସ୍ୟ ଘେରକୁ ଟାଣି ନେଉଛି।