IPL ୨୦୨୬ର ନିଲାମୀ ଅର୍ଥାତ୍ ମିନି ଅକ୍ସନ୍ ଆଜି ବେଶ୍ ରୋମାଞ୍ଚକର ହେବାକୁ ଯାଉଛି । ଅକ୍ସନ୍ ଆରମ୍ଭର ଠିକ୍ ପୂର୍ବରୁ ବିସିସିଆଇ (BCCI) ଆଉ ୧୯ ଜଣଙ୍କ ନାଁ ଯୋଡ଼ିଛି । ବିସିସିଆଇ ଯୋଡ଼ିଥିବା ୧୯ ଖେଳାଳିଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଖେଳାଳି ଅଛନ୍ତି । ଉଭୟଙ୍କ ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା ।୨୫ ବର୍ଷିୟ ରାଜେଶ ମହାନ୍ତି ଅଲରାଉଣ୍ଡର । ୨୮ ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ୨୭ ୱିକେଟ ନେବା ସହ ମୋଟ ୧୦୦ ରନ କରିଛନ୍ତି । ସେହିପରି ୨୫ ବର୍ଷିୟ ସ୍ୱସ୍ତିକ ସାମଲ ୧୩ଟି ଟି-୨୦ ଖେଳି ୩୬୨ ରନ କରିଛନ୍ତି । ସର୍ବାଧିକ ରନ ରହିଛି ୧୦୫ । ମୋଟ ୩୬୯ ଜଣ ଖେଳାଳି ନିଲାମ ତାଲିକାରେ ଅଛନ୍ତି ।
ଆଜି ଆଇପିଏଲ୍ ନିଲାମୀ । ୨୦୨୬ ଆଇପିଏଲ୍ ସିଜିନ୍ ପାଇଁ ଆବୁଧାବିରେ ଖେଳାଳି ନିଲାମୀ ବା ‘ମିନି ଅକ୍ସନ’ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅପରାହ୍ନ ୨ଟା ୩୦ ମିନିଟରେ ଏହି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ ।ତେବେ ଆଇପିଏଲ୍ର କେଉଁ ଫ୍ରାଞ୍ଚାଇଜ୍ ଦୁଇ ଓଡ଼ିଆ ଖେଳାଳିଙ୍କୁ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ୨୦୨୬ ଆଇପିଏଲ୍ ନିଲାମୀରେ ମୋଟ ୩୬୯ ଜଣ ଖେଳାଳି ସାମିଲ୍ ହୋଇଛନ୍ତି । ୨୫୧ ଜଣ ଭାରତୀୟ ଖେଳାଳି ନିଲାମରେ ସାମିଲ୍ ହୋଇଥିବା ବେଳେ ୧୧୮ ଜଣ ବିଦେଶୀ ଖେଳାଳି ।କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ପାଖରେ ମିଳିତ ଭାବେ ୧୯୭ କୋଟି ଟଙ୍କାରୁ ଅଧିକ ଅର୍ଥ ରାଶି ଅଛି । ଆଶା କରାଯାଉଛି, ଏହି ଦୁଇ ଦଳ ୧୦ଟି ଟିମ୍ ମଧ୍ୟରୁ ଅଧିକ ସକ୍ରିୟ ରହିବେ । ସନରାଇଜର୍ସ ହାଇଦ୍ରାବାଦ, ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ଭଳି ଅନ୍ୟ ଦଳ ପାଖରେ ୨୦ କୋଟିର ଅଧିକ ଟଙ୍କା ରହିଛି ।
