KIIT student death case: ନେପାଳରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର ସଂଘ

କିଟ୍‌ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ନେପାଳରେ ପ୍ରତିବାଦ କରାଯାଇଛି। କାଠମାଣ୍ଡୁରେ ନେପାଳି କଂଗ୍ରେସ ଛାତ୍ର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଘ ହୁଙ୍କାର ଭରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।ବିଶ୍ଵବିଦ୍ୟାଳୟର ଜଣେ ୩ୟ ବର୍ଷ ଛାତ୍ରର ନିର୍ଯାତନାରୁ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛି ନେପାଳି କଂଗ୍ରେସ ଛାତ୍ର ସଂଘ।ସୂଚନାଯୋଗ୍ୟ, କିଟ୍‌ ବିଶ୍ୱବିଦ୍ୟାଳୟରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତା ଛାତ୍ରୀ ହେଲେ ବି.ଟେକ୍‌ ତୃତୀୟ ବର୍ଷ (କମ୍ପ୍ୟୁଟର ସାଇନ୍ସ)ର ପ୍ରକ୍ରିତି ଲାମ୍‌ସଲ୍‌ (୨୦)। ପ୍ରକ୍ରିତି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ସ୍ଥିତ ହଷ୍ଟେଲ ‘କ୍ୟୁସି୪’ର ରୁମ୍‌ ନଂ.୪ଏ୧୨୫ରେ ରବିବାର ଅପରାହ୍ନରେ ଫ୍ୟାନ୍‌ ଜରିଆରେ ଓଢ଼ଣିରେ ଝୁଲି ଆଖି ବୁଜିଛନ୍ତି।

ତେବେ ଏହି ଘଟଣାକୁ କେନ୍ଦ୍ର କରି କ୍ୟାମ୍ପସ୍‌ ଅଶାନ୍ତ ହୋଇଥିବା ଘଟଣାକୁ ନେଇ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ତେବେ ଅନ୍ୟପକ୍ଷରେ ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚପାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ପୁରୁଷବନ୍ଧୁଙ୍କ ବ୍ଲାକମେଲ୍‌ରୁ ପ୍ରକ୍ରିତି ଏଭଳି କରିବାକୁ ବାଧ୍ୟ ହୋଇଥିଲେ ବୋଲି ସହପାଠୀମାନେ ଦାବି କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଅନ୍ୟପକ୍ଷେ କ୍ଷମା ମାଗିଛନ୍ତି କିଟ୍ କର୍ତ୍ତୃପକ୍ଷ। ଫେବୃୟାରୀ ୧୬ ତାରିଖ ଘଟଣାକୁ ଦୁଃଖ ପ୍ରକାଶ କରିଛନ୍ତି କିଟ୍ କର୍ତ୍ତୃପକ୍ଷ । ଘଟଣା ପାଇଁ ୨ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଟର୍ମିନେଟ କରାଯାଇଛି । ସେହିଭଳି ହଷ୍ଟେଲର ୨ଜଣ ସିନିୟର ଅଫିସର ଏବଂ ଇଣ୍ଟରନ୍ୟାସନାଲ ରିଲେସନ ଅଫିସର ଜଣେ ସିନିୟର ଆଡମିନଷ୍ଟ୍ରେଟିଭ ଅଫିସରଙ୍କୁ ସସପେଣ୍ଡ କରାଯାଇଛି। ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ତୁରନ୍ତ କ୍ୟାମ୍ପସକୁ ଫେରିବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଉଛି। ଛାତ୍ରଛାତ୍ରୀଙ୍କ ଫେରିବା ନେଇ କ୍ୟାମ୍ପସ ୬ ପରିସରରେ ସ୍ୱତନ୍ତ୍ର ଭାବେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ ବୋଲି କହିଛନ୍ତି କିଟ୍ କର୍ତ୍ତୃପକ୍ଷ।

ଅଧିକ ପଢନ୍ତୁ