କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ଭୁବନେଶ୍ବର ଓ ଭଦ୍ରକରୁ ୩ ମହଲା କୋଠା ଠାବ ହୋଇଥିଲା। କଟକ ଭିଜିଲାନ୍ସ ଟିମ୍ ୧୨ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ବେଳେ ଶ୍ରୀ ରଥଙ୍କ ସମ୍ପତ୍ତି ପରିମାଣ ବୃଦ୍ଧି ପାଇବାକୁ ଯାଉଛି। ଆଖି ଖୋସି ହେଲା ଭଳି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀମାନେ ବି ତାଜୁବ ହୋଇ ଯାଇଛନ୍ତି।
ଆର୍ଆଣ୍ଡବି (କଟକ ସର୍କଲ୍)ର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଭିଜିଲାନ୍ସ ସ୍କାନର୍ରେ ରଖିଥିଲା। କଟକ ଭିଜିଲାନ୍ସ ସ୍ପେସାଲ୍ ଜଜ୍ଙ୍କ ପକ୍ଷରୁ ଜାରି ସର୍ଚ୍ଚ ଵାରେଣ୍ଟ ବଳରେ ୯ ଡିଏସ୍ପି, ୧୧ ଇନ୍ସ୍ପେକ୍ଟର୍ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା ଭିଜିଲାନ୍ସ। ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଥିବା ପ୍ଲଟରେ ଚଢ଼ାଉ କରାଯାଇଥିଲା।