SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ICUରେ ସାଂଘାତିକ ସ୍ଥିତି ଉପୁଜିଛି। ସୂଚନା ଅନୁଯାୟୀ, ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେଠାରେ ସେହି ସମୟରେ ପ୍ରାୟ ୨୨ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମୟ ମିଳିନଥିଲା। ଫଳରେ ଅଧିକାଂଶ ରୋଗୀ ଶ୍ୱାସରୁଦ୍ଧ ହୋଇ ଏବଂ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ।ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଏହି ଘଟଣା ପରେ ମେଡିକାଲ ପରିସରରେ ଏକ ଶୋକାକୁଳ ଓ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି । ବାକି ରୋଗୀମାନଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।କଟକ ମେୟର ଓ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କୁ ଘଟଣା ସ୍ଥଳରେ ପହଂଚି ସହାୟତା ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି ।SCB ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିବା ସହ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା । ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ନବୀନ ।ଏହାସହ ଗୁରୁତର ଆହତଙ୍କ ଆରୋଗ୍ୟ କାମନା ସହ ସର୍ବୋତମ ଚିକିତ୍ସା ଦାବି କରିଛନ୍ତି ।

ଅଧିକ ପଢନ୍ତୁ