ଆଜି ପୋପ୍‌ ଫ୍ରାନ୍‌ସିସଙ୍କ ଶେଷକୃତ୍ୟ: ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ମୁର୍ମୁ

ଖ୍ରୀଷ୍ଟ ଜଗତର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍‌ସିସ୍‌ଙ୍କର ଚଳିତମାସ ୨୧ରେ ପରଲୋକ ଘଟିଛି। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଭାଟିକାନ୍‌ ସିଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏଥିରେ ଯୋଗଦେବାକୁ ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ପହଞ୍ଚିବା ପରେ, ସେ ସେଣ୍ଟ ପିଟର୍ସ ବାସିଲିକାରେ ପୋପଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ବିଷୟରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଫଟୋ ସେୟାର କରି ଟ୍ୱିଟରରେ ଲେଖିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଟିକାନ ସିଟିର ସେଣ୍ଟ ପିଟର୍ସ ବାସିଲିକାରେ ପରମ ପବିତ୍ର ପୋପ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ରାଷ୍ଟ୍ରପତି ମୁର୍ମୁ ଶୁକ୍ରବାର ହିଁ ରୋମରେ ପହଞ୍ଚିଥିଲେ ଏବଂ ଶନିବାର ପୋପ୍ ଫ୍ରାନ୍ସିସ୍‌ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ।ଇତିମଧ୍ୟରେ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ୧୧୩ କାର୍ଡିନାଲ ରୋମରେ ପହଞ୍ଚି ସାରିଛନ୍ତି। ଶନିବାର ଶେଷକୃତ୍ୟ ସମ୍ପନ୍ନ ହେବାପରେ ନୂତନ ପୋପ୍‌ ନିଯୁକ୍ତି ପାଇଁ ଏହି କାର୍ଡିନାଲମାନେ ଏକ ଉଚ୍ଚସ୍ତରୀୟ ବୈଠକରେ ମିଳିତ ହେବେ।

ଅଧିକ ପଢନ୍ତୁ

Odisha Darpan Digital