ମେ ୧ ଶ୍ରମ ଦିବସ ବା ଶ୍ରମିକ ଦିବସ ଭାବରେ ବିଶ୍ୱରେ ବେସ୍ ଜଣାଶୁଣା । ଶ୍ରମିକମାନଙ୍କୁ ସମ୍ମାନ ଦେବା ସହିତ ଶ୍ରମିକମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ଦିନ ମଧ୍ୟ ପାଳନ କରାଯାଇଥାଏ, ଯଦ୍ୱାରା ସମାଜରେ ଶ୍ରମିକମାନଙ୍କର ସ୍ଥିତି ମଜବୁତ ହୋଇପାରିବ ।ଶ୍ରମିକ ଦିବସର ଉତ୍ପତ୍ତି ୧୮୮୬ ମସିହାରେ ଆମେରିକାର ଚିକାଗୋ ସହରରୁ ହୋଇଥିଲା । ସେହି ସମୟରେ ଶ୍ରମିକମାନଙ୍କୁ ଦିନକୁ ୧୨ ରୁ ୧୬ ଘଣ୍ଟା କାମ କରିବାକୁ ପଡ଼ୁଥିଲା । ଏହାର ପ୍ରତିବାଦରେ ହଜାର ହଜାର ଶ୍ରମିକ ‘୮ ଘଣ୍ଟା କାର୍ଯ୍ୟ ଦିବସ’ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମେ ୪ ତାରିଖରେ ହେମାର୍କେଟ୍ ସ୍କୋୟାରରେ ଏକ ଶାନ୍ତିପୂର୍ଣ୍ଣ ସଭା ଚାଲିଥିବା ବେଳେ ବୋମା ବିସ୍ଫୋରଣ ଘଟି ଅନେକ ଲୋକ ମୃତାହତ ହୋଇଥିଲେ । ଏହି ଘଟଣାରେ ଅନେକ ଶ୍ରମିକ ନେତାଙ୍କୁ ଫାଶୀ ଦିଆଯାଇଥିଲା। ସେହି ସହିଦ ଶ୍ରମିକମାନଙ୍କ ସ୍ମୃତିରେ ଏବଂ ଶ୍ରମିକ ଏକତାକୁ ବଜାୟ ରଖିବା ପାଇଁ ୧୮୮୯ ମସିହାରେ ‘ମେ ୧’ କୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ଘୋଷଣା କରାଯାଇଥିଲା ।ଭାରତରେ ପ୍ରଥମ କରି ୧ ମେ ୧୯୨୩ ମସିହାରେ ମାଡ୍ରାସ ଅର୍ଥାତ ବର୍ତ୍ତମାନର ଚେନ୍ନାଇଠାରେ ଶ୍ରମିକ ଦିବସ ପାଳନ କରାଯାଇଥିଲା । ‘ଲେବର କିଷାନ ପାର୍ଟି ଅଫ୍ ହିନ୍ଦୁସ୍ତାନ’ର କମ୍ରେଡ୍ ସିଙ୍ଗାରାଭେଲୁ ଏହାର ନେତୃତ୍ୱ ନେଇଥିଲେ ।
