କବିସମ୍ରାଟଙ୍କ ସାଧନା ପୀଠରେ ଭଞ୍ଜଜୟନ୍ତୀ

ନୟାଗଡ଼,(ଓଡ଼ିଶା ଦର୍ପଣ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଥିଲେ ରୀତିଯୁଗର ଶ୍ରେଷ୍ଠତମ କବି। ଉପମା, ଅଳଙ୍କାର,ଶ୍ଳେଷ, ଶବ୍ଦ, ଅର୍ଥ,ସାଙ୍ଗୀତିକତାର ପ୍ରୟୋଗାତ୍ମକ ଶୈଳୀରେ ସେ ଥିଲେ କାଳଜୟୀ, ଅନତିକ୍ରମଣୀୟ ମୂର୍ଦ୍ଧନ୍ୟ ସାରସ୍ବତ ସ୍ରଷ୍ଟା ବୋଲି କବିସମ୍ରାଟଙ୍କ ସାଧନା ପୀଠ ନୟାଗଡ଼ର ମାଳିସାହି ଠାରେ ଭଞ୍ଜଜୟନ୍ତୀ ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ଣ୍ଣନା କରିଛନ୍ତି ଭଞ୍ଜ ସାହିତ୍ୟ ବିଶାରଦ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ! ମଇ ୩୦ ସନ୍ଧ୍ୟାରେ ମାଳିସାହି ଗତୀଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ଓ ସଂସ୍କୃତି ପରିଷଦର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରା ମାଳିସାହି ଗତୀଶ୍ଵର ମହାଦେବ ଓ ଢେଙ୍କଣା ରଘୁନାଥଙ୍କର ଆଶୀର୍ବାଦରେ କିଭଳି ଘୁମୁସର ରାଜପୁତ୍ର ଉପେନ୍ଦ୍ର କବିସମ୍ରାଟରେ ପରିଣତ ହୋଇ ବୈଦେହୀଶ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଭଳି କାଳଜୟୀ କୃତିମାନ ସୃଷ୍ଟି କଲେ ଆଉ ଉତ୍କଳୀୟ ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କଲେ, ତାହାର ବ୍ୟାଖ୍ୟାନ ଦେଇ ଏହି ପୀଠର ବିକାଶ ପାଇଁ ସବୁ ମତେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ! ଏହି ଉତ୍ସବରେ ଏହି ପୀଠର ଗର୍ବ ଓ ଗୌରବ ବିଶିଷ୍ଟ ସାରସ୍ବତ ସାଧକ ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ର ଓ ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁରଗନ୍ଧର୍ବ ନବକିଶୋର ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଡ. ପ୍ରେମାନନ୍ଦ ସରସ୍ବତୀଙ୍କ ପ୍ରଣୀତ ‘ କାଳଜୟୀ କାବ୍ୟଶିଳ୍ପୀ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ‘ ପୁସ୍ତକ ଲୋକାର୍ପିତ ହୋଇଥିଲା ! ପରିଷଦର ଉପସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ସ୍ଵାଗତ ସମ୍ଭାଷଣ ରଖିଥିଲେ ଓ ସହ ସମ୍ପାଦକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ! ସମ୍ପାଦକ ବିଶ୍ଵନାଥ ମହାପାତ୍ର ସଭା ସଞ୍ଚାଳନ କରିଥିଲା ବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ଏସ୍ଏ ଖାଲିକ, ଅଧ୍ୟାପିକା ନୀଳିମା ନନ୍ଦ, ପ୍ରବୀଣ ସଂଯୋଜକ ଗୋପିନାଥ ସେଠୀ ସହଯୋଗିତା କରିଥିଲେ। କଣ୍ଠଶିଳ୍ପୀ ବିଜୟାନନ୍ଦ ମହାପାତ୍ର ଓ ଭୂମିକା ମହାପାତ୍ରଙ୍କ ଭଞ୍ଜ ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା !ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ, ରାମଚନ୍ଦ୍ର ମହାପାତ୍ର ଓ ତବିରୁନ ବିବି ପ୍ରମୁଖଙ୍କ ତତ୍ତ୍ଵାବଧାନରେ ପୂର୍ବାହ୍ନରେ ଉପେନ୍ଦ୍ର ଭଞ୍ଜଙ୍କ ଆରାଧ୍ୟ ଦେବତା ଢେଙ୍କଣା ଗ୍ରାମର ରଘୁନାଥଙ୍କର ମଠରୁ ଆଜ୍ଞାମାଳ ଯାଇ ମାଳିସାହି ଠାରେ ଅବସ୍ଥାପିତ କବିସମ୍ରାଟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ଅଧିକ ପଢନ୍ତୁ

kc ads