ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍। ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ହରମୁଜ୍ ପ୍ରଣାଳୀରେ ଆତ୍ମରକ୍ଷା ପାଇଁ ଇରାନୀ ଘାଟି ଉପରେ ଆମେରିକାର ଆକ୍ରମଣ। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ଷ୍ଟ୍ରେଟ ଅଫ ହର୍ମୁଜ’ ରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି ।ଇରାନ ଇଣ୍ଟରନ୍ୟାସନାଲ ରିପୋର୍ଟ କରିଛି ଯେ, ଆମେରିକା ଇରାନର ଲାରାକ ଦ୍ୱୀପରେ ଆକ୍ରମଣ କରିଛି। ଇରାନୀ ଗଣମାଧ୍ୟମ ଏସ୍ଏନ୍ଏନ୍ ଅନୁଯାୟୀ, ହର୍ମୁଜ୍ ପ୍ରଣାଳୀ ନିକଟରେ ଦକ୍ଷିଣ ଲାରାକ ଦ୍ୱୀପରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଆଧାରରେ ରିପୋର୍ଟରେ କୁହାଯାଇଛି, ତିନି ଜଣ ମୃତକଙ୍କୁ ଚିହ୍ନଟ କରାଯାଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ ରହିଛି। ମୃତକମାନେ ସାମରିକ କର୍ମଚାରୀ ଥିଲେ କି ଆକ୍ରମଣରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଇଥିଲା ତାହା ସ୍ପଷ୍ଟ ହୋଇ ନାହିଁ। କେନ୍ଦ୍ରୀୟ କମାଣ୍ଡ ମୁଖପାତ୍ର ଟିମ୍ ହକିନ୍ସ କହିଛନ୍ତି, ଆମେରିକା ସେନା ଚଳିତ ଅସ୍ତ୍ରବିରତି ସମୟରେ ସଂଯମତା ଅବଲମ୍ବନ କରି ନିଜର ସୈନ୍ୟମାନଙ୍କୁ ସୁରକ୍ଷା ଦେଇଆସୁଛି । ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଉଭୟ ପକ୍ଷ ସମାଧାନ ପାଇଁ ଆଲୋଚନାରେ ଅଗ୍ରଗତି ହେଉଥିବା ଦାବି କରୁଛନ୍ତି । ତେଣୁ ଏହି ନୂଆ ଆକ୍ରମଣ ଆଲୋଚନା ବନ୍ଦ ହେବା ଏବଂ ଯୁଦ୍ଧ ପୁନରାରମ୍ଭ ହେବାର ସମ୍ଭାବନାକୁ ବୃଦ୍ଧି କରିଛି । ତେବେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ ବା IRGCର ବିପଦକୁ ଦେଖି ଆତ୍ମରକ୍ଷା ପାଇଁ ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ବା CENTCOM ଦକ୍ଷିଣ ଇରାନରେ ଏକ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆମେରିକା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସୀମିତ କାର୍ଯ୍ୟାନୁଷ୍ଠାନରେ ଦୁଇଟି ମୁଖ୍ୟ ଟାର୍ଗେଟକୁ ଧ୍ୱଂସ କରାଯାଇଛି।
