ଆସନ୍ତାକାଲି ସକାଳ ଧୂପ ପରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ

ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଆଧାରରେ ଏହି ପ୍ରକ୍ରିୟା ସମ୍ପାଦିତ ହୋଇଛି ।ଆଜି ପୂର୍ବାହ୍ନ ୧୧ ଟା ୨୬ ମିନିଟରୁ ଆରମ୍ଭ ହୋଇଥିଲା ଗଣତି ମଣତି ପ୍ରକ୍ରିୟା। ଅପରାହ୍ନ ୨ ଟା ୩୬ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ଗଣତି ମଣତି। ମୋଟ ୩ ଘଣ୍ଟା ୧୦ ମିନିଟ୍ ଧରି ଗଣତି ମଣତି କାର୍ଯ୍ୟ ଚାଲିଥିଲା। ଆସନ୍ତାକାଲି ସକାଳ ଧୂପ ନୀତି ସମାପନ ପରେ ପୁନର୍ବାର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।ଗତ ୨୦୨୪ ଜୁଲାଇ ୧୪ରେ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା । ପରବର୍ତ୍ତୀ ସମୟରେ ରତ୍ନ ଅଳଙ୍କାର ଗୁଡ଼ିକୁ ଶ୍ରୀମନ୍ଦିର ଭିତରେ ହୋଇଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଥିଲା । ପରେ ଏଏସଆଇ ପକ୍ଷରୁ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଇଥିଲା । ପରେ ୨୩ ସେପ୍ଟେମ୍ବର ୨୦୨୪ରେ ମୂଳ ରତ୍ନ ଭଣ୍ଡାରକୁ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ଗତ ୨୦୨୬ ମାର୍ଚ୍ଚ ୨୫ ତାରିଖରୁ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ପର୍ଯ୍ୟାୟ କ୍ରମେ ଗଣତି କାର୍ଯ୍ଯ ଜାରୀ ରହିଛି। ୧୯୭୮ ମସିହାରେ ଶେଷଥର ପାଇଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଏହି କାମ ଦୀର୍ଘ ୭୨ ଦିନ ଧରି ଚାଲିଥିଲା।

ଅଧିକ ପଢନ୍ତୁ