ଚମତ୍କାର ନାଟ୍ୟାନୁଷ୍ଠାନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ନାଟକ ‘ଡାଆଣୀ’ ମଞ୍ଚସ୍ଥ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ଚମତ୍କାର’ ପକ୍ଷରୁ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଦିବାସୀ ପରମ୍ପରା, କଳା, ସଂସ୍କୃତି ତଥା ଜନଜୀବନ ଉପରେ ଆଧାରିତ ନାଟକ ଡାଆଣୀ ମଞ୍ଚସ୍ଥ ହୋଇଯାଇଛି। ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ବିଜୟ ମହାନ୍ତିଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ।
ଆଦିବାସୀ ପରମ୍ପରା ଆଧାରିତ ସଂସ୍କାର ମୂଳକ ନାଟକ ‘ଡାଆଣୀ’ ଆଦିବାସୀ ଜନଜୀବନରେ କିପରି ପ୍ରଭାବ ପକାଇଥାଏ ତାହାର ନିଚ୍ଛକ ପ୍ରଦର୍ଶନ ଏହି ନାଟକ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ନାଟକର ମୁଖ୍ୟ ଚରିତ୍ର ଭଗିଆର ସ୍ତ୍ରୀ ନୁନୀ ଏକାକିନୀ ଆଦିବାସୀ ଚଳଣିରେ ଘାଣ୍ଟି ଚକଟି ହେଉଥ‌ିବାବେଳେ କୁଚକ୍ରୀ, ଯୁବତୀ ଚୋରା ଚାଲାଣକାରୀ ଅଣଆଦିବାସୀ ସରପଞ୍ଚ, ଠିକାଦାରଙ୍କ ଚକ୍ରାନ୍ତରେ ଭଗିଆ ଦାଦନ ଯାଏ ।

ଆଦିବାସୀ ଜନଜୀବନକୁ ନେଇ ଗବେଷଣାରତ ଡ. ଚୌଧୁରୀଙ୍କ ସହିତ ଦାଦନ ଖଟୁଥିବା ସ୍ଥାନରେ ଦେଖାହୁଏ ଭଗିଆ ସହିତ । ଦୁର୍ଭାଗ୍ୟ ବଶତଃ ଗବେଷଣା ପାଇଁ ତଥ୍ୟ ସଂଗ୍ରହ କାଳରେ ଭଗିଆର ମୃତ୍ୟୁ ଘଟେ । ଭଗିଆର ମୃତ୍ୟୁପରେ ସଂଯୋଗ ବଶତଃ
ଉଭୟଙ୍କ ଚେହେରା ଓ କଥାବାର୍ତ୍ତାରେ ଥିବା ବିଚିତ୍ର ତାଳମେଳ ଯୋଗୁଁ ଅଧିକ ଜାଣିବାର ଜିଜ୍ଞାସା ନେଇ ବନ୍ଧୁ ଆ.ପି.ଏସ୍. ସ୍ଵାଗତ ମିଶ୍ରଙ୍କ ସହାୟତାରେ ଭଗିଆ ଓରଫ୍ ଡ. ଚୌଧୁରୀ ପହଞ୍ଚନ୍ତି ନୁନୀ ରହୁଥ‌ିବା ଆଦିବାସୀ ପଲ୍ଲୀର ଭଗିଆ ଘରେ । ନିରୀହା ନୁନୀ ଆଦରରେ ନିଜର ମରଦ୍ ଭାବି ଗ୍ରହଣକରିନିଏ ଡ. ଚୌଧୁରୀଙ୍କୁ।ଡ. ଚୌଧୁରୀ ଭଗିଆ ପରିବାରର ଅସହାୟତାକୁ ନିଜର କରିନେବା ସହିତ ନୂନୀର ଦୁଃଖ ସୁଖରେ ଯୋଡ଼ି ହୋଇଯାଆନ୍ତି ।

ଆଦିବାସୀ ମାନଙ୍କ ସବୁଠାରୁ ବଡ଼ ଉତ୍ସବ ପରବ ରାତିରେ ଠିକାଦାର ଦ୍ଵାରା ଧର୍ଷିତା ହୋଇଥିବା ନୁନୀ  ଦିଶାରୀର କଠୋର ଧର୍ମାଚରଣରେ ଅତିଷ୍ଠ ହୋଇଉଠିଲା। ଧର୍ଷିତା ନୁନୀକୁ  ଆଦିବାସୀ ସମାଜ ମିଥ୍ୟା ଆରୋପ ଲଗାଇ ‘ଡାଆଣୀ’ର ଆଖ୍ୟାଦେଇ ଦିଶାରୀ ଦ୍ଵାରା ଝଡ଼ାଫୁଙ୍କାର ବ୍ୟବସ୍ଥା କରିବା, ନିଶାଗ୍ରସ୍ତ ପୋଲିସ ଅଧିକାରୀଙ୍କ ଦ୍ୱାରା ଅଧିକ ନିର୍ଯ୍ୟାତନା ସହିତ ନୁନୀକୁ ସାମାଜିକ ବାସନ୍ଦ କରାଯାଇଥିଲା। ତେବେ ଗବେଷଣା ପାଇଁ  ସ୍ୱାମୀ ସ୍ନେହରେ ବାନ୍ଧି ରଖିଥିବା ଛଦ୍ମବେଶୀ ଭଗିଆ ଓରଫ ଡ.ଚୌଧୁରୀ  ନୁନୀକୁ ସବୁଦିନ ପାଇଁ ଧର୍ମପତ୍ନୀ ଭାବେ ଗ୍ରହଣ କରିନେଇ ନିଜର ମହାନତାକୁ ଏହି ନାଟକ ମାଧ୍ୟମରେ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଥିଲା।

ଦର୍ଶକ ମାନଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଥିବା ଏହି ନାଟକର ବିଭିନ୍ନ ଭୂମିକାରେ ରାକେଶ ଦାସ, ଲକ୍ଷ୍ମୀଧର ମହାପାତ୍ର, ଉମାଶଙ୍କର ମିଶ୍ର, ଜିତେନ୍ଦ୍ର ଚୌଧୁରୀ, ପ୍ରଦୀପ୍ତ ଡାକୁଆ, ନୀଳକଣ୍ଠ ଦାଶ, ନିଶିକାନ୍ତ ମହାପାତ୍ର, ବିରୂପାକ୍ଷ ସ୍ଵାଇଁ, ସୁଧାଂଶୁ ଶେଖର ପଣ୍ଡା, ଶାଶ୍ଵତ ମିଶ୍ର, ବାଲୁଙ୍କେଶ୍ଵର ବିଶୋଇ, ପ୍ରଶାନ୍ତ କୁମାର ଖଟୁଆ,ଦେବାଶିଷ ମହାପାତ୍ର, ପ୍ରହଲ୍ଲାଦ ପ୍ରଧାନ, ଦିଲ୍ଲୀପ ପ୍ରଧାନ, ସୋମନାଥ ସାହୁ,ସୋନାଲୀ ଶୁଚିସ୍ମିତା, ଅନ୍ତିମାଶା, ସନ୍ତୋଷିନୀ ମଲ୍ଲିକ୍ ଏବଂ ଦିବ୍ୟଜ୍ୟୋତି ପଟ୍ଟନାୟକ ପ୍ରମୁଖ ଅଭିନୟ କରିଥିଲେ।By:-Laxmidhar Sahoo

ଅଧିକ ପଢନ୍ତୁ

Odisha Darpan Digital