ପ୍ରବାସୀ ଭାରତୀୟ ଦିବସ ସମାରୋହ: ମୁଖ୍ୟ ଅତିଥି ହେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ସମାରୋହର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଓଡ଼ିଶାର ସମୃଦ୍ଧ କଳା,ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ପ୍ରକୃଷ୍ଟ ଅବସର ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସମାରୋହର ସଫଳ ରୂପାୟନରେ ଭାଗିଦାରୀ ହେବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍ କାର୍ଲ କାଙ୍ଗାଲୁଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ପ୍ରମୁଖ ଯୋଗ ଦେବେ । ଏହି ସମାରୋହରେ ଦେଶବିଦେଶରୁ ପ୍ରାୟ ୭ହଜାର ଅତିଥି ଯୋଗଦେବେ ବୋଲି ଜଣାପଡ଼ିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ’ର ଉଦଘାଟନ କରିବେ ।ଅତିଥିମାନଙ୍କର ଭ୍ରମଣ ଓ ଯାତାୟତ ନିମନ୍ତେ ୧୦ଟି ଉନ୍ନତମାନର ବସ୍ ଓ ୫ଟି ଡବଲ ଡେକର ବସ ବ୍ୟବସ୍ଥା କରାଯାଇଛି । ୨୦୦ରୁ ଅଧିକ ପ୍ରବାସୀ ସାମ୍ବାଦିକ, ୭ଟି ଦେଶରୁ ୟୁଟ୍ୟୁବର ଓ ବ୍ଲଗର ମଧ୍ୟ ଏଥିରେ ସାମିଲ ହେବେ ।ଭୁବନେଶ୍ୱର ସହିତ ଏହାର ଆଖପାଖ ଅଂଚଳର ପରିମଳ ବ୍ୟବସ୍ଥା ଓ ସୌନ୍ଦର୍ଯ୍ୟକରଣ ଉପରେ ସ୍ୱତନ୍ତ୍ର ଧ୍ୟାନଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଏମସି ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ