ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍ରେ ଶ୍ରୀଲଙ୍କାକୁ ୧୪୭ ରନ୍ର ବଡ଼ ବ୍ୟବଧାନରେ ହରାଇ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୨୧୬ ରନ୍ର ବଡ଼ ସ୍କୋର କରିଥିଲା। ଦଳ ପକ୍ଷରୁ ସ୍ମୃତି ମନ୍ଧାନା ୭୯, ରିଚା ଘୋଷ ଅପରାଜିତ ୪୯ ଏବଂ ଶେଫାଳୀ ବର୍ମା ୪୮ ରନ୍ର ଦମଦାର ଇନିଂସ ଖେଳିଥିଲେ।୨୧୭ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ମହିଳା ଦଳ ଆରମ୍ଭରୁ ବିପର୍ୟ୍ୟର ଶିକାର ହୋଇଥିଲା । ଭାରତୀୟ ବୋଲରଙ୍କ ଜାଦୁ ଆଗରେ ବ୍ୟାଟ୍ ଚାଲିନଥିଲା । ୧୫.୪ ଓଭରରେ ଶ୍ରୀଲଙ୍କା ନିଜର ସମସ୍ତ ୱିକେଟ୍ ହରାଇ ମାତ୍ର ୬୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଦିପ୍ତୀ ଶର୍ମା ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଶେଫାଳି ବର୍ମା, ଶ୍ରେୟଙ୍କା ପାଟିଲ ଏବଂ ଶ୍ରୀଚରଣି ଦୁଇଟି ଲେଖାଏଂ ୱିକେଟ୍ ହାସଲ କରିଛନ୍ତି । ଭାରତ ଫାଇନାଲ୍ ଜିତି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଶ୍ରୀଲଙ୍କା ରୌପ୍ୟ ଏବଂ ତୃତୀୟ ସ୍ଥାନରେ ଥିବା ପାକିସ୍ତାନକୁ କାଂସ୍ୟ ପଦକ ମିଳିଛି ।
