ଅକ୍ଟୋବର ୬ରେ ଓଡ଼ଗାଁରେ  ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ଅଡିସନ

ଓଡ଼ଗାଁ,(ଓଡ଼ିଶା ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଅଡିସନ ଓଡ଼ଗାଁ ଠାରେ ଆସନ୍ତା ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ହେବ ।  ଓଡ଼ଗାଁ କଲେଜ ରୋଡ଼ରେ ଥିବା ରେସପ୍ଲସ ଶିକ୍ଷା କେନ୍ଦ୍ରରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ହେବା ପାଇଁ ସ୍ଥିର କରାଯାଇଅଛି ।  ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ କରି ପାରିବେ । ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସଂଗୀତ ଅନୁଷ୍ଠାନ ଓ ଏହା ବାହାରେ ଥିବା ପୁଅଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।  ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ  ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ ସକାଶେ ସ୍ଥିର କରାଯାଇଅଛ।

ସଙ୍ଗୀତଧାରା ପକ୍ଷରୁ ଓଡ଼ଗାଁ ସାମ୍ବାଦିକ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ସଭାପତି ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ମୁଖ୍ୟ ପୃଷ୍ଠପୋଷକ ସମାଜସେବୀ ପ୍ରମୋଦ ପଟ୍ଟନାୟକ , ସଂଯୋଜକ ଲକ୍ଷ୍ମୀଧର ସାହୁ,ସଦସ୍ୟ ଅଶୋକ କୁମାର ମଲ୍ଲ ଏବଂ ପ୍ରଶାନ୍ତ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ସଂଯୋଜକ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଅଧିକ ପଢନ୍ତୁ