ଦୁଇ ଶିଶୁଙ୍କୁ ଗୋଟିଏ ସିଲିଣ୍ଡରରୁ ଅକ୍ସିଜେନ୍ ଦେବା ଘଟଣା, ତଦନ୍ତ ପାଇଁ ନିର୍ଦ୍ଦେଶ

୨୦୨୨ ମସିହାରେ ଗୋଟିଏ ସିଲିଣ୍ଡରରୁ ତିନିଶିଶୁଙ୍କୁ ଅକ୍ସିଜେନ୍‌ ପ୍ରଦାନ ଘଟଣା ଏମ୍‌କେସିଜି ବଡ଼ଡାକ୍ତରଖାନାକୁ ଚର୍ଚ୍ଚାକୁ ଆଣିଥିଲା। ୩ ବର୍ଷ ପରେ ଆଜି ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡରରୁ ଦୁଇ ନବଜାତକଙ୍କୁ ଅକ୍ସିଜେନ୍‌ ଦିଆଯିବା ଘଟଣା ସାମ୍‌ନାକୁ ଆସିଛି। ତେବେ ଦକ୍ଷିଣାଞ୍ଚଳ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଏଭଳି ହେଲା, ତାହାର ତଦନ୍ତ ହେବ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରଡିସି କହିଛନ୍ତି । ଏକ ବଡ଼ ଡାକ୍ତରଖାନା ହୋଇ ବି କେମିତି ସର୍ବନିମ୍ନ ଆକ୍ସିଜେନ ସୁବିଧା ନାହିଁ, ତାହାର ଅସଲ ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଏମକେସିଜି ସୁପର ସ୍ପେଶାଲିଟି କୋଠା ପାଖରେ ସ୍ୱାସ୍ଥ୍ୟାବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ଦୁଇଜଣ ନବଜାତ ଶିଶୁଙ୍କୁ ଇକୋ ଚିକିତ୍ସା ଲାଗି ଏଠାକୁ ପରିବାର ଲୋକେ ଆଣିଥିଲେ । କିନ୍ତୁ ଦୁଇ ଶିଶୁଙ୍କ ଲାଗି ଦୁଇଟି ଆକ୍ସିଜେନ ସିଲିଣ୍ଡର ମିଳିନଥିଲା । ବାଧ୍ୟ ହୋଇ ଦୁଇ ଶିଶୁଙ୍କୁ ଗୋଟିଏ ଆକ୍ସିଜେନ ସିଲିଣ୍ଡରରୁ ଆକ୍ସିଜେନ ଦିଆଯାଇଥିଲା । ନବଜାତ ଶିଶୁଙ୍କ କ୍ଷେତ୍ରରେ ଏଭଳି ଚିକିତ୍ସା ସେବାକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏମ୍‌କେସିଜି ଅଧୀକ୍ଷକ ପ୍ରଫେସର ଡା. ଦୁର୍ଗାମାଧବ ଶତପଥୀ କହିଛନ୍ତି ଯେ ଉଭୟ ଶିଶୁଙ୍କ ଅକ୍ସିଜେନ୍‌ ସ୍ତର ସମାନ ରହିଥିଲା। ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡରରୁ ଏକାଧିକ ରୋଗୀଙ୍କୁ ଅକ୍ସିଜେନ ପ୍ରଦାନ କରିବାକୁ ବାରଣ କରିବା ସହ ଶିଶୁ ବିଭାଗକୁ ଏନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏଭଳି କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଧୀକ୍ଷକ ଡା. ଶତପଥୀ କହିଛନ୍ତି।

ଅଧିକ ପଢନ୍ତୁ