
ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା କାଲି ଠାରୁ ସପ୍ତାହବ୍ୟାପୀ ଷଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ-୨୦୨୬ ପଠାଣି ସାମନ୍ତ ଅଡିଟୋରିଅମ ଠାରେ ମଞ୍ଚସ୍ଥ ହେବାକୁ ଯାଉଛି । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୫ ରୁ ୨୧ ତାରିଖ ଯାଏଁ ଏହି ନାଟକ ମହୋତ୍ସବ ଆୟୋଜନ କରୁଛି । ଏଥିରେ ଭୁବନେଶ୍ବର, ସମ୍ବଲପୁର,ବାରିପଦା, ନୟାଗଡ଼ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନେ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟହ ସନ୍ଧ୍ୟା ୭ ଘ.୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ । ଏହି କ୍ରମରେ ୧୫ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ବିଦ୍ୟାକନକ ସୃଜନୁଷ୍ଠାନ ପକ୍ଷରୁ ଗୋପୀନାଥ ବାରିକଙ୍କ ରଚିତ ତଥା ଅବକାଶ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ‘କୁହୁଡ଼ି’ ମଞ୍ଚସ୍ଥ ହେବାକୁ ଥିବା ବେଳେ, ୧୬ ତାରିଖରେ ବାରିପଦାର ନୁପୁର ନାଟ୍ୟାନୁଷ୍ଠାନ ପକ୍ଷରୁ ଡ.କୁମରମଣୀ ନାୟକଙ୍କ ଦ୍ୱାରା ରଚିତ ଏବଂ ନିର୍ଦ୍ଦେଶିତ ନାଟକ ‘ଚକ୍ରବ୍ୟୁହ’, ୧୭ ରେ ଭୁବନେଶ୍ୱର ପ୍ରତିଭା ନାଟ୍ୟପରିଷଦ ପକ୍ଷରୁ ନାରାୟଣ ଚନ୍ଦ୍ର ମହାପାତ୍ରଙ୍କ ରଚିତ ତଥା ଦିପ୍ତୀରଞ୍ଜନ ଦାଶଙ୍କ ନିର୍ଦ୍ଦେଶିତ ନାଟକ ‘ଏକ ନାୟକର ମୃତ୍ୟୁ’, ୧୮ରେ ପଞ୍ଚଧ୍ୱନି ଭୁବନେଶ୍ୱର ପକ୍ଷରୁ ପଞ୍ଚାନନ ଦାଶଙ୍କ ରଚିତ ତଥା ପାର୍ଥ ସାରଥୀ ମହାନ୍ତିଙ୍କ ନିର୍ଦ୍ଦେଶିତ ନାଟକ ‘ବଧୂ ବିଦାୟ’, ୧୯ ରେ ଯୁଧିଷ୍ଠିର ଥିଏଟର ଭୁବନେଶ୍ୱରର ଦୀପିକା ଦାସଙ୍କ ରଚିତ ଏବଂ ଦେବାନନ୍ଦ ନାୟକଙ୍କ ନିର୍ଦ୍ଦେଶିତ ନାଟକ ‘ଇନ୍ଦ୍ରଜାଲ’, ୨୦ ରେ ସମ୍ବଲପୁର ନାଟ୍ୟାନୁଷ୍ଠାନ ‘ସ୍ୱର’ ପକ୍ଷରୁ ଡ. ପ୍ରସନ୍ନ କୁମାର ସାହୁଙ୍କ ରଚିତ ଏବଂ ନାଟ୍ୟଶ୍ରୀ ମାନସ ରଞ୍ଜନ ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ସମୁଦ୍ର ସମୂହ’ ଏବଂ ଅନ୍ତିମ ଦିବସ ୨୧ ତାରିଖରେ ନୟାଗଡ଼ର ନାଟ୍ୟାନୁଷ୍ଠାନ ‘ଚମତ୍କାର’ ପକ୍ଷରୁ ନାଟ୍ୟକାର ବିଜୟ ମହାନ୍ତିଙ୍କ ରଚିତ ତଥା ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘ଡାଆଣି’ ମଞ୍ଚସ୍ଥ ହେବ।

ସପ୍ତାହବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ନାଟକ ଗୁଡ଼ିକ ସାଂପ୍ରତିକ ସମାଜ ଭିତ୍ତିକ ହୋଇ ଦର୍ଶକୀୟ ଆଦୃତି ଲାଭ କରିବ ବୋଲି ନାଟ୍ୟାନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ରାଜ୍ୟସ୍ତରୀୟ ନାଟ୍ୟମେଳାକୁ ପରିପୂର୍ଣ୍ଣ ଉପଭୋଗ ପୂର୍ବକ ମଞ୍ଚମୁଖି ହେବା ସକାଶେ ନାଟ୍ୟପ୍ରେମୀ ମାନଙ୍କୁ ନାଟ୍ୟାନୁଷ୍ଠାନ ପକ୍ଷରୁ ଆନ୍ତରିକ ନିବେଦନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୫୦ ଟଙ୍କିଆ ଲଟେରୀ କୁପନର ବ୍ୟବସ୍ଥା କରାଯାଇ ଦର୍ଶକ ମାନଙ୍କୁ ମଞ୍ଚାଭିମୁଖୀ କରିବା ପାଇଁ ନାଟ୍ୟଧାରା ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସଂକୀର୍ତ୍ତନ ଗାୟକ ଅନ୍ତର୍ଯ୍ୟାମୀ ନାୟକ ଏବଂ ନାରାୟଣୀ ଚିତ୍ରାଳୟ, ମାଛିପଡ଼ାକୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ନାଟ୍ୟାନୁଷ୍ଠାନ ‘ନାଟ୍ୟଧାରା’ ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର,ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ,ନାଟ୍ୟକାର ବିଶ୍ୱନାଥ ମହାପାତ୍ର କଣ୍ଠଶିଳ୍ପୀ ନବକିଶୋର ମିଶ୍ର, ସଂଯୋଜକ ଲକ୍ଷ୍ମୀଧର ସାହୁ,କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ,ପ୍ରଦୀପ୍ତ ଡାକୁଆ, ଅଶୋକ ମଲ୍ଲ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଗୋପୀନାଥ ସେଠି,ରଞ୍ଜନ ରଶ୍ମି ଜେନା,ସୁଦର୍ଶନ ସାହୁ ପ୍ରମୁଖ ଅନୁଷ୍ଠିତ ହେବାକୁ ଯାଉଥିବା ସପ୍ତାହବ୍ୟାପୀ ନାଟ୍ୟମେଳାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।By:-Laxmidhar Sahoo
